ହାତୀ ଉପଦ୍ରବ ଭୟରେ ଘର ଛାଡିଲେ ଗ୍ରାମବାସୀ ! ଗଛ ଉପର ମଂଚା ପାଲଟିଛି ଶେଷ ଆଶ୍ରୟସ୍ଥଳୀ

71

କନକ ବ୍ୟୁରୋ : ଖରା, ବର୍ଷାରୁ ସୁରକ୍ଷା ଦିଏ ଘର । ହେଲେ ସେହି ଘର ଯଦି ଅସୁରକ୍ଷିତ ହୋଇପଡ଼େ ତେବେ କ’ଣ ହୁଏ ପରିସ୍ଥିତି । ସୁବର୍ଣ୍ଣପୁରରେ ଘର ନୁହଁ ଗଛ ପାଲଟିଛି ଲୋକଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ । ହାତୀ ଭୟରେ ଘର ଛାଡି ଗଛ ଉପରେ ମଂଚା କରି ରହୁଛନ୍ତି ଲୋକେ ।

ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକ୍ ପୁଡାମାଲ୍ ଗାଁର । ଘର ପାଲଟିଛି ଅଭିଶପ୍ତ ଓ ଗଛ ବନିଛି ମଣିଷର ଆଶ୍ରୟସ୍ଥଳୀ । ହାତୀ ଉପଦ୍ରବ ଯୋଗୁ ଗଛ ଉପରେ ମଂଚା ବାନ୍ଧି ଜୀବନ ବିତାଉଛନ୍ତି ସ୍ଥାନୀୟ ବାସିନ୍ଦା । ଝାଟିମାଟିରେ ତିଆରି ଘର ବଣୁଆ ହାତୀପଲ ଭାଂଗି ଦେବାରୁ ମଂଚାରେ ବିତୁଛି ରାତି । ଦିନ ଥାଉ ଥାଉ ସାରିବାକୁ ହେଉଛି ରାତ୍ରିଭୋଜନ । ଏକ ବିପଜ୍ଜନକ ସିଡ଼ି ସାହାଯ୍ୟରେ ଯିବାକୁ ପଡୁଛି ମଂଚା ଉପରକୁ । ସଂଜ ନଇଁଲେ ଘାରୁଛି ଜଙ୍ଗଲୀ ହାତୀ ଭୟ ଆଉ ବାଧ୍ୟ ହୋଇ ରାତି ସାରା ପରିବାର ସଦସ୍ୟଙ୍କୁ ମଂଚା ଉପରେ ହିଁ ରହିବାକୁ ପଡୁଛି ।

ବର୍ଷା, ପବନ ହେଲେ ବି ହାତୀ ଭୟରେ ମଂଚାରୁ ତଳକୁ ଓହ୍ଲାଉନାହାନ୍ତି ବାସିନ୍ଦା । ଅନ୍ୟ ପଟେ ପୁଡାମାଲ ଗାଁ ରାସ୍ତାଘାଟ, ପାନୀୟଜଳ ପରି ସବୁ ପ୍ରକାର ମୌଳିକ ସୁବିଧାରୁ ବଂଚିତ । ବିଦ୍ୟୁତ ତାରକୁ ହାତୀପଲ ଛିଣ୍ଡାଇଦେବାରୁ ଅଂଧାରରେ ରାତି ବିତାଉଛନ୍ତି ଲୋକେ । ହାତୀକୁ ଠାବ କରି ଘଉଡ଼ାଇବାରେ ମଧ୍ୟ ଜଙ୍ଗଲ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଛି । କହିଲେ କେବଳ ହାତୀ ଉପଦ୍ରବ ଯୋଗୁ କ୍ଷତିର ଭରଣା କରାଯିବ ବୋଲି ଦିଆଯାଉଛି ପ୍ରତିଶ୍ରୁତି । ହାତୀ ଆଉ ମଣିଷର ଏ ଲଢ଼େଇରେ ଦୁର୍ବିସହ ହୋଇପଡ଼ିଛି ଜୀବନ । ଆଜିର ଯୁଗରେ ଏ ଭଳି ଗଛ ଉପରେ ଜୀବନ ବିତାଇବା ସରକାରୀ ଯୋଜନା ଆଡ଼କୁ ଅଙ୍ଗୁଳିନିର୍ଦ୍ଦେଶ କରୁଛି ।