ୟୁପିରେ ମାଟି ତଳେ ମହଜୁଦ ରହିଛି ହଜାର ହଜାର ଟନ ସୁନା : ଏବେ ୟୁରାନିୟମ ସନ୍ଧାନରେ ସରକାର

1,899

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ସୁନାର ଏକ ବଡ଼ ଭଣ୍ଡାରର ସନ୍ଧାନ ମିଳିଛି ।  ମାଟି ତଳେ ମହଜୁଦ ହୋଇରହିଛି ହଜାର ହଜାର ଟନ ସୁନା । ଆଉ ଏହାକୁ ଖୋଳି କାଢ଼ିବାକୁ ଏବେ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ପାଖାପାଖି ତିନି ହଜାର ଟନ ସୁନା ଥିବାର ଜଣାପଡିଛି । ରାଜ୍ୟ ଖଣିଜ ବିଭାଗ ଏହି ସୁନା ବାବଦରେ ଜାଣିଥିବାବେଳେ ଏହି ସୁନାକୁ ଉତ୍ତୋଳନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ଅବଶ୍ୟ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ(ଜିଏସଆଇ) ୧୫ ବର୍ଷ ହେଲା ଜିଲ୍ଲାର ମାଟିକୁ ନେଇ ଗବେଷଣା କରୁଥିବାବେଳେ ରାଜ୍ୟ ସରକାରଙ୍କୁ ଜଣାଇଛି ।

ଏବେ ଉତ୍ତରପ୍ରଦେଶ ରାଜ୍ୟ ସରକାର ସୁନାକୁ ବିକ୍ରି କରିବା ପାଇଁ ଇ-ନିଲାମୀ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କହିବା ମୁତାବକ ସୋନଭଦ୍ର ଜିଲ୍ଲର ହରଦି ଅଞ୍ଚଳରେ ୬୪୬.୧୫ କିଲୋଗ୍ରାମ ସୁନା ଥିବାବେଳେ ସୋନ ପାହାଡ଼ରେ ୨୯୪୩.୨୫ ଟନ ସୁନା ମହଜୁଦ ହୋଇ ରହିଛି ।

ସୁନା ଗଛିତ ଥିବା ଜାଣିବା ପରେ ଉତ୍ତରପ୍ରଦେଶ ସରକାର ଇ-ନିଲାମୀ ମାଧ୍ୟମରେ ସୁନା ନିଲାମ କରିବାକୁ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ୭ ଜଣିଆ ଟିମ ଗଠନ କରାଯାଇଛି । ଏହି ଟିମ ଅଞ୍ଚଳର ଜିଓ ଟ୍ୟାଗିଙ୍ଗ କରି ୨୨ ଫେବୃୟାରୀ ସୁଦ୍ଧା ରିପୋର୍ଟ ଦେବ । ତେବେ ଜିଲ୍ଲା ଖଣିଜ ଅଧିକାରୀ କହିଛନ୍ତି ଏହି ଅଂଚଳରେ କେବଳ ସୁନା ନାହିଁ ବରଂ ଲୌହ ଓ ୟୁରାନିୟମ ମଧ୍ୟ ଥିବାର ସମ୍ଭାବନା ଦେଖାଦେଇଛି ।  ଯାହାକୁ ଏବେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କର୍ମଚାରୀମାନେ ଖୋଜିବା ଅଭିଯାନରେ ଲାଗିପଡିଛନ୍ତି ।