କହ୍ନେୟାଙ୍କୁ ସମର୍ଥନର ସ୍ୱର ଦେଲେ ଚର୍ଚ୍ଚିତ ବିଜେପି ସାଂସଦଙ୍କ ପତ୍ନୀ । କହିଲେ, ଦେଶଦ୍ରୋହୀ ନାରା ବେଳେ ଜେଏନୟୁରେ ଉପସ୍ଥିତ ନଥିଲେ କହ୍ନେୟା, ଛାତ୍ରନେତା ହୋଇଥିବାରୁ କରାଯାଇଥିଲା ଗିରଫ ।

1,289

କନକ ବ୍ୟୁରୋ : କହ୍ନେୟା କୁମାର । ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି । ଜେଏନୟୁରେ ଦେଶଦ୍ରୋହ ନାରା ଦେଉଥିବା ଅଭିଯୋଗରେ ଗିରଫ ହୋଇଥିବା ଏହି ଚର୍ଚ୍ଚିତ ଛାତ୍ରନେତାଙ୍କୁ ନେଇ ପୁଣି କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏଥର କିନ୍ତୁ କହ୍ନେୟାଙ୍କୁ ନେଇ ବିରୋଧର ସ୍ୱର ନୁହେଁ ବରଂ ସମର୍ଥନର ସ୍ୱର ଉଠିଛି । ଆଉ ତାହା ପୁଣି ଆଉ କେହି ନୁହେଁ, ଜଣେ ବିଜେପି ସାଂସଦଙ୍କ ପତ୍ନୀ କହ୍ନେୟାଙ୍କ ସମର୍ଥନରେ ପ୍ରତିକ୍ରିୟା ରଖିଛନ୍ତି ।

ନିକଟରେ ସଂସଦରେ ନିଜ ଅଭିଭାଷଣ ରଖି ଚର୍ଚ୍ଚାକୁ ଆସିଥିବା ଲଦ୍ଦାଖ ସାସଂଦ ଜାମୟାଙ୍ଗ ସେରିଙ୍ଗ ନାମଗ୍ୟାଲଙ୍କ ପତ୍ନୀ ସୋନମ କହ୍ନେୟାଙ୍କ ସମର୍ଥନରେ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସୋନମ କହିଛନ୍ତି, ସେ ମଧ୍ୟ ଜେଏନୟୁର ଛାତ୍ରୀ ଅଟନ୍ତି । ଫେବୃଆରୀ ୨୦୧୬ରେ ଜେଏନୟୁ ପରିସରରେ ଯେଉଁ ଘଟଣା ଘଟିଥିଲା, ସେହି ସମୟରେ ସୋନମ ମଧ୍ୟ ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ଥିଲେ । ତାଙ୍କ କହିବା କଥା ହେଉଛି, ସେହି ବିବାଦୀୟ ଘଟଣା ସହ କହ୍ନେୟାଙ୍କ କୌଣସି ସମ୍ପର୍କ ନାହିଁ । ସେ ଘଟଣା ସମୟରେ କହ୍ନେୟା ସେଠାରେ ଉପସ୍ଥିତ ନଥିଲେ ବୋଲି ସୋନମ କହିଛନ୍ତି ।

ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସଂସଦରେ ଅଭିଭାଷଣ ରଖି ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ରହିଛନ୍ତି ଲଦ୍ଦାଖର ବିଜେପି ସାଂସଦ କିନ୍ତୁ ଅନ୍ୟପଟେ ସୋନମଙ୍କ ଏହି ବୟାନ ମଧ୍ୟ ଜାତୀୟ ରାଜନୀତିରେ ସାମାନ୍ୟ ହଲଚଲ ସୃଷ୍ଟି କରିଛି । ଗୋଟିଏ ପଟେ ସୋନମ, କହ୍ନେୟାଙ୍କୁ ନିର୍ଦ୍ଦୋଷର ଆଖ୍ୟା ଦେଇଥିବା ବେଳେ, ଅନ୍ୟପଟେ କିନ୍ତୁ ତାଙ୍କ ସ୍ୱାମୀଙ୍କ ଦଳ ଅର୍ଥାତ ବିଜେପି କହ୍ନେୟାଙ୍କୁ ଦେଶଦ୍ରୋହୀର ଆଖ୍ୟା ଦେଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗତ ୨୦୧୬ ଫେବୃଆରୀ ମାସରେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ଦେଶ ବିରୋଧୀ ନାରା ଦେଉଥିବା ଦର୍ଶାଇ ଦେଶଦ୍ରୋହ ମାମଲାରେ କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା । ସେତେବେଳେ ସେ ଜେଏନୟୁ ଛାତ୍ର ସଂସଦର ସଭାପତି ଥିଲେ ।

ଆତଙ୍କବାଦୀ ଅଫଜଲ ଗୁରୁ ଏବଂ ମକବୁଲ ଭଟ୍ଟଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୂରଣ ସମୟରେ ଜେଏନୟୁରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ଦେଶବିରୋଧୀ ନାରା ଦିଆଯାଉଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଆଉ ଯାହାକୁ ନେଇ ସାରା ଦେଶରେ ବିବାଦ ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ୨୦୧୬ ମାର୍ଚ୍ଚ ୩ ତାରିଖରେ ଦିଲ୍ଲୀ ହାଇକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିଥିଲେ କହ୍ନେୟା କୁମାର । ଆଉ ସେତେବେଳେ ତାଙ୍କ ଉପରେ ଲାଗିଥିବା ସମସ୍ତ ଆରୋପକୁ ଭୁଲ ବୋଲି କହିଥିଲେ କହ୍ନେୟା ।