ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗ ଦେବା ନେଇ ପ୍ରତିକ୍ରିୟା ରଖିଲେ ସୋନାକ୍ଷୀ ! କହିଲେ, ବିଜେପିରେ ବାପାଙ୍କୁ ମିଳୁନଥିଲା ଉପଯୁକ୍ତ ସମ୍ମାନ ।

376

କନକ ବ୍ୟୁରୋ : ବିହାରର ପାଟନା ସାହିବ୍ ଆସନରୁ ଜିତି ଲୋକସଭା ସଦସ୍ୟ ହୋଇଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଆଗାମୀ ମାସ ୬ ତାରିଖରେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି ।

ଏ ସଂପର୍କରେ ଶତ୍ରୁଘ୍ନ ସିହ୍ନାଙ୍କ କନ୍ୟା ତଥା ଫିଲ୍ମଷ୍ଟାର୍ ସୋନାକ୍ଷୀ ସିହ୍ନା ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ବାପାଙ୍କ ନିଷ୍ପତ୍ତିରେ ଖୁସି ,ମାତ୍ର ଏଥିରେ ବିଳମ୍ବ ହୋଇଯାଇଛି । ତାଙ୍କୁ ବିଜେପିରେ ଉପଯୁକ୍ତ ସମ୍ମାନ ମିଳୁ ନଥିବା ହେତୁ ଏ ଦିଗରେ ବହୁ ଆଗରୁ ନିଷ୍ପତ୍ତି ନେବାର ଥିଲା ବୋଲି କହିଛନ୍ତି ସୋନାକ୍ଷୀ ସିହ୍ନା । ସୂଚନାଯୋଗ୍ୟ ଯେ ବିଜେପି ଶତ୍ରୁଘ୍ନଙ୍କ ଟିକେଟ କାଟି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ସେଠାରୁ ପ୍ରାର୍ଥୀ କରିଛି ।

ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ଦୀର୍ଘଦିନ ଧରି ଦଳ ଉପରେ ଅସନ୍ତୁଷ୍ଟ ଥିଲେ । ପୂର୍ବରୁ ଶତ୍ରୁଘ୍ନ ସିହ୍ନା ବାରମ୍ବାର ମୋଦି ବିରୋଧୀ ମନ୍ତବ୍ୟ ଦେଇଆସୁଥିଲେ । ମୋଦିଙ୍କ ନେତୃତ୍ୱ ଉପରେ ବାରମ୍ବାର ପ୍ରଶ୍ନ ଉଠାଉ ଥିଲେ ସିହ୍ନା । ସୋସିଆଲ ମିଡ଼ିଆରେ ମୋଦି ବିରୋଧୀ ମନ୍ତବ୍ୟ ଦେବା ସହ ରାହୁଲ ଗାନ୍ଧୀଙ୍କୁ ମାଷ୍ଟର ଅଫ୍ ସିଚ୍ୟୁଏସନ୍ ବୋଲି କହିଥିଲେ ଶତ୍ରୁଘ୍ନ । ଏବେ ସେ ଟ୍ୱଟି କରି ରାହୁଲଙ୍କ ସର୍ବନିମ୍ନ ଆୟ ଯୋଜନାର ପ୍ରଶଂସା କରିଥିଲେ । ଏହା ସହ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଥିଲେ ଏହି ଯୋଜନା କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ ।