ଭକ୍ତିପୂର୍ଣ୍ଣ ଭଜନକୁ ବିକୃତ ଭାବେ ଗାଇ ପୁଣି ବିବାଦରେ ସୋନା ମହାପାତ୍ର : ଆହେ ନୀଳ ଶଇଳ ଗୀତକୁ ଭୁଲ ଶୈଳୀରେ ଗାଇଥିବା ନେଇ ସୋସିଆଲ ମିଡିଆରେ ସମାଲୋଚନା

61

କନକ ବ୍ୟୁରୋ : କାଳଜୟୀ ଜଗନ୍ନାଥ ଭଜନ ଆହେ ନୀଳ ଶଇଳ ଗୀତକୁ ନେଇ ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବଲିଉଡ ସିଙ୍ଗର ସୋନା ମହାପାତ୍ର । ଭଜନରେ ଥିବା ଅନେକ ଶବ୍ଦକୁ ବିକୃତ ଭାବରେ ଉଚ୍ଚାରଣ କରୁଥିବା ନେଇ ଅଭିଯୋଗ ହୋଇଛି । ଯେଉଁଥି ପାଇଁ ସୋନା ମହାପାତ୍ରଙ୍କୁ ନେଇ ସୋସିଆଲ ମିଡ଼ିଆରେ କଡା ଭାଷାରେ ସମାଲୋଚନା କରାଯାଉଛି ।

ଭକ୍ତ ଓ ଭଗବାନର ଭାବାବେଗ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ଗୀତକୁ ନେଇ ଏବେ ସୃଷ୍ଟି ହୋଇଛି ଝଡ । ଆଉ ଝଡ଼ର ସୁଅ ଆରମ୍ଭ ହୋଇଛି ସୋନା ମହାପାତ୍ରଙ୍କଠାରୁ । ମୁମ୍ବାଇର ଏକ ମ୍ୟୁଜିକ୍ ଫେଷ୍ଟିଭାଲରେ ପ୍ରତିଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବା ଏହି ଭଜନକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି । ଭଜନରେ କିଛି ଶବ୍ଦର ଉଚ୍ଚାରଣକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସାଲବେଗକୁ ସାଲେବେଗ, ମତତକୁ ମାତ, ଚରଣକୁ ଚରଣେ ବୋଲି ଉଚ୍ଚାରଣ କରୁଛନ୍ତି ସୋନା ମହାପାତ୍ର । ଯାହାକୁ ନେଇ ଉଠିଛି ଆପତ୍ତି ।

ଟ୍ୱିଟରରେ ସୋନା ମହାପାତ୍ର ଏହି ଗୀତଟି ଅପଲୋଡ୍ କରିବା ପରେ ପରେ ହିଁ ଏନେଇ ଆପତ୍ତି ଉଠାଇଥିଲେ ଓଲିଉଡ ଅଭିନେତ୍ରୀ ପିଙ୍କୀ ପ୍ରଧାନ । ଆଉ ଟ୍ୱିଟ୍ କରି ଲେଖିଥିଲେ । ଆପଣଙ୍କ ପ୍ରତିଭା ଏବଂ ସଫଳତା ଯୋଗୁଁ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି । କିନ୍ତୁ ବିଶ୍ୱ ଦରବାରରେ ଆମ ଓଡିଆ ମାନଙ୍କୁ ଲଜ୍ଜିତ କରନ୍ତୁ ନାହିଁ । ବଡ କଥା ହେଉଛି ସୋନା ବୋଲିଥିବା ଏହି ଗୀତକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୀତକୁ ନେଇ ଆସୁଛି ଭିନ୍ନ ଭିନ୍ନ ମତାମତ ।

ମନୋଜ ତ୍ରିପାଠୀ ତାଙ୍କ ଟ୍ୱିଟର ଆକାଉଂଟରେ ଲେଖିଛନ୍ତି-ଆପଣଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ । ଉଚ୍ଚାଚଣରେ ଅନେକ ତ୍ରୁଟି ରହିଛି । ଆଶା କରୁଛି କିଛି ଦିନ ପରେ ସୁଧାର ଆସିବ ।

ହରେକୃଷ୍ଣ ଖଟୁଆ ଲେଖିଛନ୍ତି- ସେହି ବ୍ୟକ୍ତି, ସମାନ ଭୁଲ । ରଙ୍ଗବତୀ ଗୀତକୁ ନେଇ ବିବାଦୀୟ ହୋଇଥିଲେ । ଏଥର ଓଡ଼ିଆ ଭାଷା ଓ ଭାବନାରେ ଆଘାତ କରିଛନ୍ତି । ଆଉ ଏହି

ଗୀତ ନେଇ ଆଶିଷ ପଣ୍ଡାଙ୍କ ମତ ହେଲା-ପ୍ରଶଂସନୀୟ ଉଦ୍ୟମ । ଆପଣଙ୍କୁ ନେଇ ଆମେ ଗର୍ବିତ । କିନ୍ତୁ ଅନେକ ଓଡ଼ିଆ ଶବ୍ଦ ଉଚ୍ଚାରଣରେ ତ୍ରୁଟି ରହିଛି । ଆଶା କରିବା ଏଥିରେ ଆପଣ ସୁଧାର ଆଣିବେ ।

ସୋସିଆଲ ମିଡ଼ିଆରେ ଆସୁଥିବା ଏହି ମିଶ୍ର ପ୍ରତିକ୍ରିୟା ଭିତରେ ଭକ୍ତ ସାଲବେଗ ଲେଖିଥିବା ଏହି ମୂଳ ଭଜନର ଏକ ନୂଆ ରୂପ ସାମ୍ନାକୁ ଆସିଛି । ପୂର୍ବରୁ ଭିକାରୀ ବଳ, ବାଳକୃଷ୍ଣ ଦାସଙ୍କ ଭଳି ମହାନ କଣ୍ଠଶିଳ୍ପୀ ଏହି ଭଜନଟିକୁ ଅତି ଭାବପୂର୍ଣ୍ଣ ଭାବରେ ଗାଇଥିଲେ । ହୁଏତ ଯାହା ସୋନା ମହାପାତ୍ର ଗାଇଥିବା ଏହି ଗୀତରେ ସେଇ ଭାବନାହିଁ ।

ପୂର୍ବରୁ ରଙ୍ଗବତୀ ଗୀତକୁ ବିକୃତ କରିଥିବା ଅଭିଯୋଗକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ବିଶେଷ କରି ଓଡିଆ ସଂସ୍କୃତିକୁ ଭଲ ପାଆନ୍ତି ଓ ଏହାକୁ ବିଶ୍ୱ ଦରବାରରେ ପରିଚିତ କରିବାକୁ ନେଇ ସେ ଉଦ୍ୟମ କରୁଛନ୍ତି ବୋଲି ଦାବି କରୁଥିବା ବେଳେ, ଏହି ଭଜନରେ ଏତେ ସଂଖ୍ୟକ ଭୁଲ୍ ଉଚ୍ଚାରଣ, ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଉଛି ।