ଆହେ ନୀଳ ଶଇଳ ଗାୟନ ଶୈଳୀକୁ ନେଇ ସ୍ପଷ୍ଟ କଲେ ସୋନା : କହିଲେ ମୁଁ ଅନୁତପ୍ତ ନୁହେଁ, ଏମିତି ଗାଇ ଚାଲିଥିବି ଗୀତ

112

କନକ ବ୍ୟୁରୋ : ଆହେ ନୀଳ ଶଇଳ ଗୀତ ଗାୟନ ଶୈଳୀ ବିବାଦକୁ ନେଇ ମତ ରଖିଛନ୍ତି ଗାୟିକା ସୋନା ମହାପାତ୍ର । ଏ ନେଇ ସେ ଅନୁତାପ କରିନାହାନ୍ତି ।  ସୋନା କହିଛନ୍ତି  ମୁଁ ଏମିତି ଗାଇଚାଲିଥିବି  । ମୁଁ ଅନୁତପ୍ତ ନୁହେଁ ।  ଆହେ ନୀଳ ଶୈଳକୁ କଦର୍ଥ କରି ଗାଇବା  ପରେ  ରାଜ୍ୟରେ ବିରୋଧ ଦେଖାଦେଇଥିଲା ।  ବୁଦ୍ଧିଜୀବୀ, ସାହିତ୍ୟିକ ଓ ସମାଜର ବିଭିନ୍ନ ଶ୍ରେଣୀର ଲୋକେ ଏହାକୁ ବିରୋଧ କରି  ଟ୍ୱିଟ କରିଥିଲେ । ଏହା ପରେ  ସୋନାଙ୍କ ପ୍ରତିକ୍ରିୟା ଆସିଛି ।   ସେ ଅନୁତପ୍ତ ନଥିବା କହିଛନ୍ତି  ସୋନା ।

 

କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଭଜନ, ଆହେ ନୀଳ ଶୈଳ ଗୀତକୁ ସିଙ୍ଗର ସୋନା ମହାପାତ୍ର ବିକୃତ କରି ଗାଇବା ପରେ ବିବାଦ ବଢ଼ିବାରେ ଲାଗିଛି । ପ୍ରତିବାଦ କରି ପୁରୀ ସ୍ୱର୍ଗଦ୍ୱାରରେ ସୋନା ମହାପାତ୍ରଙ୍କ କୁଶପୁତଳିକା ଦାହ କରାଯାଇଛି । ନାଗରୀକ ସୁରକ୍ଷା ମଂଚ ପକ୍ଷରୁ ବିକ୍ଷୋଭ କରାଯିବା ସହ ସୋନା ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ସଂଙ୍ଗୀତ ପରିବେଷଣ କରିବା ସମୟରେ ସୋନା ଭଜନରେ ଥିବା ଅନେକ ଶବ୍ଦକୁ ବିକୃତ ଭାବରେ ଉଚ୍ଚାରଣ କରୁଥିବା ନେଇ ଅଭିଯୋଗ ହୋଇଛି । ଯେଉଁଥି ପାଇଁ ସୋନା ମହାପାତ୍ରଙ୍କୁ ନେଇ ସୋସିଆଲ ମିଡ଼ିଆରେ କଡା ଭାଷାରେ ସମାଲୋଚନା କରାଯାଉଛି ।

ସୋନା ମହାପାତ୍ରଙ୍କ ଗୀତକୁ ନେଇ ସୋସିଆଲ ମିଡିଆରେ  ପ୍ରତିକ୍ରିୟା ଆସିବାରେ ଲାଗିଛି । ସାହିତ୍ୟିକ କେଦାର ମିଶ୍ର ଓ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଏହାକୁ ନେଇ ଟ୍ୱିଟ କରିଛନ୍ତି । କେଦାର ମିଶ୍ର ଟିଟ୍ୱରରେ ଲେଖିଛନ୍ତି ଜଣେ ନାଗରିକ ହିସାବରେ ଜଣେ ସବୁ କିଛି କରିବାର ଅଧିକାର ଅଛି  । କିନ୍ତୁ ଭାଷା ଓ ସଂସ୍କୃତିକୁ ଆଘାତ ଦେବାର କୌଣସି ଅଧିକାର ନାହିଁ ।  ଓଡିଆକୁ ଆପଣ ଲଗାତାର ଭାବେ ଅସମ୍ମାନ କରୁଛନ୍ତି । ସେପଟେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଟ୍ୱିଟ କରି ଲେଖିଛନ୍ତି ଯେ, ଦିନ ଆଲୁଆରେ ଏହା ଏକ ମହାନ ସଙ୍ଗୀତକୁ ଦୁଷ୍କର୍ମ କଲାଭଳି କଥା । ପ୍ରଭୁ ଜଗନ୍ନାଥ ଏହାର ବିଚାର କରିବେ ।

 

ସୂଚନାଯୋଗ୍ୟ ଆହେ ନୀଳ ଶଇଳ ଭଜନକୁ କଦର୍ଥ କରି ଗାଇଛନ୍ତି ସୋନା ମହାପାତ୍ର  । ସଂଗୀତର ପ୍ରଥମ ଧାଡିରେ ମତକୁ ମାତ ଉଚ୍ଚାରଣ କରିଛନ୍ତି ସୋନା । ସେହିଭଳି କରକୁ କଳ, ଘୋରକୁ ଘର, ଜଳେଣକୁ ଜଳେନ, ଉଦ୍ଧାରିଲକୁ ଉଦ୍ଧରିଲା, ସାଲବେଗକୁ ସାଲେବେଗ ଉଚ୍ଚାରଣ କରିଛନ୍ତି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଓଡିଆ ଭାଷାକୁ ସୋନା କଦର୍ଥ କରିଛନ୍ତି ବୋଲି କୁହାଯାଉଛି ।