ବାପା ବିଜେଡି ସାଂସଦ, ପୁଅ ବିଜେପି ବିଧାୟକ ପ୍ରାର୍ଥୀ । ରାଜନୀତିର ଧର୍ମସଂକଟରେ ପ୍ରଶାନ୍ତ-ରିଷଭ ଯୋଡି ।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଗୁନିଆ ନିର୍ବାଚନ ମଣ୍ଡଳୀରେ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ ପ୍ରଶାନ୍ତ ନନ୍ଦ? ପୁଅ ବିରୁଦ୍ଧରେ ପ୍ରଚାର କରିବେ, ନା ଏହି ନିର୍ବାଚନ ମଣ୍ଡଳୀ ପାଇଁ ଭିନ୍ନ ଆଭିମୁଖ୍ୟ ପୋଷଣ କରିବେ?

388

ବାପା ବିଜେଡିର ରାଜ୍ୟସଭା ସାଂସଦ, ଦଳର ତାରକା ପ୍ରଚାରକ । ହେଲେ ପୁଅ ବିଜେପିରେ ସାମିଲ ହେବା ସହ ବିଜେପିର ବିଧାୟକ ପ୍ରାର୍ଥୀ । ରାଜ୍ୟ ରାଜନୀତିରେ ଏହି ସମୀକରଣକୁ ନେଇ ଏବେ ଢେର ଚର୍ଚ୍ଚା । ପ୍ରଶାନ୍ତ ନନ୍ଦ ଓ ପୁଅ ରିଷଭ ନନ୍ଦଙ୍କ କ୍ଷେତ୍ରରେ ଏହି ସ୍ଥିତି ସାମ୍ନାକୁ ଆସିଛି । ବିଜେପି ପକ୍ଷରୁ ଜାରି ହୋଇଥିବା ନୂଆ ପ୍ରାର୍ଥୀ ତାଲିକାରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ପାଇଁ ରିଷଭ ନନ୍ଦଙ୍କୁ ବିଜେପି ପ୍ରାର୍ଥୀ କରିଛି ।

ବିଜେପୁର ଉପ-ନିର୍ବାଚନରେ ଦଳର ସଫଳତା ପରେ ପ୍ରଶାନ୍ତ ନନ୍ଦଙ୍କୁ ମୁଖିଆ ରାଜ୍ୟସଭା ପଠାଇଥିଲେ । ବିଜୟ ପଛର ଚେହେରା ମାନଙ୍କ ମଧ୍ୟରୁ ସେହି ସମୟରେ ପ୍ରଶାନ୍ତ ନନ୍ଦ ଥିଲେ ଜଣେ । ତେବେ ୨୦୧୯ ନିର୍ବାଚନ ଆସିଲା ବେଳକୁ ସମୀକରଣ ସବୁ ବଦଳିଗଲା । ବାପା ବିଜେଡିରେ ଥିବା ବେଳେ ପୁଅ ବିଜେପି ଆଡକୁ ମୁହାଁଇଥିଲେ । ଏପରିକି ପୁଅଙ୍କୁ ବୁଝାଇ ରଖିବାରେ ଅସମର୍ଥ ହୋଇଥିଲେ ପ୍ରଶାନ୍ତ ନନ୍ଦ ।

ଗତ କିଛି ଦିନ ତଳେ ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଶିବିରକୁ ପ୍ରବେଶ କରିଥିଲେ ରିଷଭ ନନ୍ଦ । ଆଉ ଏହାର କିଛି ଦିନ ପରେ ବିଜେଡି ତରଫରୁ ଜାରି ହୋଇଥିବା ତାରକା ପ୍ରଚାରକ ତାଲିକାରେ ଥିଲା ପ୍ରଶାନ୍ତ ନନ୍ଦଙ୍କ ନାଁ । ବିଜେଡି ତରଫରୁ ଯେଉଁ ତାରକା ପ୍ରଚାରକ ତାଲିକା ଦିଆଯାଇଛି, ତାହା ପ୍ରଥମ ଦୁଇ ପର୍ଯ୍ୟାୟ ପାଇଁ ରହିଛି, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ତାଲିକା ଏବେ ସୁଦ୍ଧା ଦଳ ତରଫରୁ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇ ନାହିଁ ।

ଏବେ ବଡ ପ୍ରଶ୍ନ ଉଠୁଛି ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଗୁନିଆ ନିର୍ବାଚନ ମଣ୍ଡଳୀରେ କେଉଁ ଆଭିମୁଖ୍ୟ ଗ୍ରହଣ କରିବେ ପ୍ରଶାନ୍ତ ନନ୍ଦ? ପୁଅ ବିରୁଦ୍ଧରେ ପ୍ରଚାର କରିବେ, ନା ଏହି ନିର୍ବାଚନ ମଣ୍ଡଳୀ ପାଇଁ ଭିନ୍ନ ଆଭିମୁଖ୍ୟ ପୋଷଣ କରିବେ? ରାଜନୀତିରେ ଏଭଳି ଧର୍ମସଂକଟ କିଛି ନୂଆ କଥା ହୋଇନଥିବା ବେଳେ ପ୍ରଶାନ୍ତ ଓ ରିଷଭଙ୍କ ମଧ୍ୟରେ ସମୀକରଣ କିଭଳି ରହୁଛି, ତାକୁ ଅପେକ୍ଷା ।