ଗଂଜାମ ହିଞ୍ଜିଳିରେ ଚାଂଚଲ୍ୟ : ସଂପତି ପାଇଁ ବାପାକୁ ପିଟି ପିଟି ମାରିଦେଲା ସଇତାନ ପୁଅ

47

କନକ ବ୍ୟୁରୋ: ବାପାକୁ ପିଟି ପିଟି ମାରିଲା ପୁଅ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଲା ଗାଁରେ । ପୁଅ ମାଡରେ ଏ କ୍ରିଷ୍ଣା ରାଓଙ୍କ ମୃତ୍ୟୁ ହୋଇଛି । ସଂପତି ଭାଗବଂଟା ନେଇ ବିବାଦ ଲାଗିରହିଥିଲା । ଆଜି ସକାଳେ ଦିବାକର ଉତ୍ୟକ୍ତ ହୋଇ ଏକ ଲୁହା ରଡରେ ବାପାଙ୍କୁ ପିଟି ପିଟି ହତ୍ୟା କରିଛି । ହିଂଜିଳି ପୁଲିସ ଗାଁରେ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଲା ଗ୍ରାମର ଏ କ୍ରିଷ୍ଣା ରାଓଙ୍କର ୨ ଝିଅ ଓ ୩ ପୁଅ। କୌଣସି କାରଣରୁ ପୁଅମାନଙ୍କ ସହିତ ସମ୍ପର୍କ ଠିକ୍ ନ ଥିବାରୁ କ୍ରିଷ୍ଣା ରାଓ ସେହି ଗ୍ରାମରେ ବିବାହ କରିଥିବା ନିଜ ଝିଅଙ୍କ ଘରେ ରୁହନ୍ତି। ଏ କ୍ରିଷ୍ଣା ରାଓଙ୍କ ୩ ପୁଅଙ୍କ ମଧ୍ୟରୁ ଦୁଇଜଣ ବିବାହ କରି ଥିବା ବେଳେ ଏ ଦିବାକର ରାଓ (୩୦ ବର୍ଷ) ନାମକ ତାଙ୍କ ସାନ ପୁଅ ଏବେ ବି ଅବିବାହତ ଅଛନ୍ତି। ତେବେ କୌଣସି କାରଣରୁ ଆଜି ସକାଳେ ଏ ଦିବାକର ରାଓ ତାଙ୍କ ଭଉଣୀ ଘରେ ପହଞ୍ଚି ବାପା ଏ କ୍ରିଷ୍ଣା ରାଓଙ୍କ ସହିତ ପାଟିତୁଣ୍ଡ କରିଥିଲେ।

ଏପରିକି ଏଥିରେ ଉତ୍ୟକ୍ତ ହୋଇ ଏ ଦିବାକର ରାଓ ଏକ ଲୁହା ରଡ଼ରେ ଏ କ୍ରିଷ୍ଣା ରାଓଙ୍କୁ ପିଟିପିଟି ମାରି ଦେଇଥିଲେ। ଏ କ୍ରିଷ୍ଣା ରାଓଙ୍କ ଅସାଡ଼ ଦେହ ତଳେ ପଡ଼ିଯିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରୁଥିବା ଏ ଦିବାକର ରାଓଙ୍କୁ ଗ୍ରାମବାସୀମାନେ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।