ମାଆକୁ ଓଳିଏ ଖାଇବାକୁ ଦେବାକୁ ନେଇ ପୁଅଙ୍କ ଭିତରେ କଳି । ଶୀତୁଆ ରାତିରେ ବୁଢୀ ମାଆକୁ ଘରୁ ପଦାକୁ ତଡିଦେଲା କୁଳାଙ୍ଗାର ପୁଅ, କୋଠାଘରେ ପକାଇଲା ତାଲା । ଦେଖନ୍ତୁ ଭିଡିଓ

4,435

କନକ ବ୍ୟୁରୋ : ଶୀତୁଆ ରାତି । ଘର ଅଗଣାରେ ଭେଁ ଭେଁ ହୋଇ କାନ୍ଦୁଛି ମା’ଟିଏ । ଠିକ୍ ଛୋଟ ପିଲାଟିଏ ଭଳି । ଶୀତ-କାକରରେ ଦାଣ୍ଡରେ ପଡ଼ି ରହିଛି । ଆଖିରୁ ଧାର ଧାର ଲୁଅ ଗଡ଼ୁଛି । କାରଣ ଯେଉଁ ପିଲାଙ୍କୁ ଜନ୍ମ ଦେଇ ପାଳିପୋଷି ବଡ କରିଥିଲା ଏହି ମା’, ସେହି କୂଳର ନନ୍ଦନମାନେ ତାକୁ ଘର ବାହାରକୁ ଫିଙ୍ଗି ଦେଇଛନ୍ତି । ଆମ ଦୁନିଆର ଅନ୍ୟ ମା’ ମାନଙ୍କ ଭଳି ଏହି ବୃଦ୍ଧ ମା’ ବି ହୁଏତ, ଆଶା କରିଥିଲା, ପୁଅମାନେ ବୃଦ୍ଧକାଳରେ ସାହାରା ହେବେ । କିଛି ନହେଲା ନାହିଁ, ଶାନ୍ତିରେ ଖାଇବାକୁ ଗଣ୍ଡେ ଏବଂ ମୁଣ୍ଡ ଗୁଞ୍ଜିବାକୁ ଚାଖଣ୍ଡେ ଜାଗା ତ’ ଦେବେ । ହେଲେ ସେହିପୁଅମାନେ ତାକୁ ଅଳିଆ ଗଦି ଭଳି ଘର ବାହାରକୁ ଫିଙ୍କି ଦେଇଛନ୍ତି । ସତେ ସେମିତି ସବୁ ଦିନ ପାଇଁ ଅଲୋଡ଼ା ହୋଇଯାଇଛି ଏହି ବୃଦ୍ଧା । ଆଉ କୋଠା ଘର ଭିତରେ କିଛି ନଜାଣିଲା ଭଳି ଚୁପଚାପ୍ ପଶି ରହିଛନ୍ତି ପୁଅ ଓ ବୋହୂ ।

ଏଭଳି ଏକ ଘଟଣା ବ୍ରହ୍ମପୁର ଅଞ୍ଚଳର ଅନନ୍ତନଗରରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଭିଡିଓରେ ବୃଦ୍ଧା ମା’କୁ ବାହାରେ ଛାଡି ଦେଇ ଘର ଭିତରୁ ତାଲା ପକାଇ ଦେଇଛି କୁଳାଙ୍ଗାର ପୁଅ । ଦାଣ୍ଡ ବାରଣ୍ଡାରେ ଶୀତ କାକରରେ ଥରୁଥିବା ବେଳେ ଭୋ ଭୋ ହୋଇ କାନ୍ଦୁଥିଲା ବୁଢୀ ମା’ । କିନ୍ତୁ ବୁଢୀ ମା’ କାନ୍ଦ ଯେମିତି ଏହି କୁଳାଙ୍ଗାର ପୁଅ ଓ ବୋହୂ କାନରେ ପଡୁନଥିଲା । କାରଣ ମା’କୁ ରଖିବାର ପାଳି ତାଙ୍କର ସରି ଯାଇଥିଲା । ତେଣୁ ଅନ୍ୟ ପୁଅ ପାଖକୁ ପଠାଇବା ପାଇଁ ମା’କୁ ରାତି ଅଧରେ ଘରୁ ବାହାର କରିଦେଇଥିଲା ପୁଅ । ଏମିତିକି ଘର ଭିତର ପଟୁ ତାଲା ପକାଇ ଦେଇଥିଲା ପୁଅ । ଯାହା ଫଳରେ ମା’ ଘର ଭିତରକୁ ଆସିପାରିବ ନାହିଁ । ଆଉ ଏହି କାମରେ ପୁଅକୁ ପୂରା ସହଯୋଗ କରିଥିଲା ବୋହୂ ।

କିନ୍ତୁ ବୁଢୀ ମା’ର ଦୁଃଖ ସିନା ପୁଅ ବୁଝି ପାରିଲାନି କିନ୍ତୁ ପାଖ ପଡିଶା ବୃଦ୍ଧାଙ୍କର କାନ୍ଦ ଶୁଣି ସେଠାରେ ପହଞ୍ଚିଥିଲେ । ଆଉ ଏହାପରେ କୁଳାଙ୍ଗାର ପୁଅକୁ ମଣିଷପଣିଆ କଣ ତାହା ବେଶ ଭଲ ଭାଷାରେ ବୁଝାଇ ଦେଇଥିଲେ ପଡିଶା ଲୋକ । ମା’କୁ ଭାଗ କରାଯାଏନା ବୋଲି ଶିକ୍ଷିତ ପୁଅକୁ ପାଠ ପଢାଇଥିଲେ ପଡିଶା ଲୋକ । ଆଉ ଏହାପରେ ଲୋକଙ୍କ ଗାଳି ଶୁଣି ପୁଣିଥରେ ମା’କୁ ଘରକୁ ନେଇଯାଇଥିଲା ପୁଅ । କିନ୍ତୁ ସେ ଦୁଃଖୀନି ମା’କୁ ପୁଅ ପୁଣି ଯେ କଷ୍ଟ ନ ଦେବ ତାହାର ଗ୍ୟାରେଣ୍ଟି କଣ ।