ଅବ୍ୟବସ୍ଥାର କରୁଣ ଚିତ୍ର ! ବ୍ୟବଚ୍ଛେଦ ପାଇଁ ମା’ର ଶବକୁ ଗାଡିରେ ବାନ୍ଧି ମେଡିକାଲ ନେଲା ପୁଅ ।

40

ଆଜିକାଲି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ତା କଥା କାହାକୁ ଅଛପା ନାହିଁ । ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏତେ ଦୁର୍ବଳ ଯେ, ପ୍ରତିଦିନ ଲୋକମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା କାରଣରୁ କେଉଁଠି ଲୋକମାନେ ଛଟପଟ ହେଉଛନ୍ତି ତ ଆଉ କେଉଁଠି ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବହେଳା କାରଣରୁ ରୋଗୀର ଜୀବନ ଯାଉଛି । ସେହିଭଳି ଏକ ଅଭାବନିୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲାରେ । ସ୍ୱାସ୍ଥ୍ୟ ସେବା ତରଫରୁ ସରକାରୀ ଶବ ବାହାନ ନମିଳିବାରୁ ଜଣେ ମହିଳାଙ୍କ ଶବକୁ ତାଙ୍କ ପୁଅ ବାଇକରେ ବାନ୍ଧି ପୋଷ୍ଟମର୍ଟମ ହାଉସରେ ପହଞ୍ଚାଇବାକୁ ପଡିଛି ।

ସୂଚନା ଅନୁଯାୟୀ, ମୋହନଗଡ଼ ଥାନା ଅନ୍ତର୍ଗତ ମସ୍ତାନପୁର ଗାଁରେ ବାସ କରୁଥିବା ଜଣେ ମହିଳାଙ୍କୁ ଗତ ସୋମବାର ଦିନ ସାପ କାମୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ୍ୟୁ ପରେ ପରିଜନ ଲୋକେ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଯେହେତୁ ଏହି ଘଟଣାଟି ପୋଲିସର ହସ୍ତଗତ ହୋଇଥିଲା ସେନେଇ ପୋଲିସ ଶବ ବ୍ୟବଚ୍ଛେଦ କରିବା ପାଇଁ ପରିବାର ଲୋକଙ୍କୁ ନିର୍ଦ୍ଦଶ ଦେଇଥିଲା । ମୃତ ମହିଳାଙ୍କ ପୁଅ ଶବ ବ୍ୟବଚ୍ଛେଦ କରିବା ପାଇଁ ଶବ ବାହାନକୁ ଅନେକ ଥର ଫୋନ କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ସେବା ତରଫରୁ କୌଣସି ବ୍ୟବସ୍ଥା କରାଯାଇ ପାରିନଥିଲା । ଶେଷରେ ନିରାଷ ହୋଇ ଯୁବକ ଜଣକ ମା’ର ଶବକୁ ବାଇକରେ ବନ୍ଧି ଶବ ବ୍ୟବଚ୍ଛେଦ ପାଇଁ ପୋଷ୍ଟମର୍ଟମ ହାଉସ ପହଞ୍ଚିଥିଲେ ।

ସ୍ୱାସ୍ଥ୍ୟ ବ୍ୟବସ୍ଥା ଅବହେଳାର ଏହା ପ୍ରଥମ ଘଟଣା ନୁହେଁ । ଏହିଭଳି ଅନେକ ଘଟଣା ପୂର୍ବରୁ ଘଟିଆସିଛି । ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆଗରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି କିନ୍ତୁ ଏଯାଏ ତାର କୌଣସି ସୁଫଳ ମିଳିପାରି ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ଯଦି ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଯାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଧୁରି ପାରିବ ବୋଲି ଆଶା କରାଯାଉଛି ।