ଟଙ୍କା ଆଗରେ ଲୁଚିଗଲା ମା’ର ମମତା । ସାମାନ୍ୟ ଟିକିଏ ଜମି ପାଇଁ ବୁଢୀ ମା’କୁ ମୃତ୍ୟୁ ମୁଖକୁ ଠେଲିଦେଲା ପୁଅ ।

106

ପିଲାଟି ଜନ୍ମ ହେବା ପରେ ବାପା ମା’ ତାର ଖୁବ ଯତ୍ନ ନେଇଥାନ୍ତି । ନିଜେ ଓଳିଏ ଖାଇ ଓଳିଏ ଉପାସ ରହି ମଧ୍ୟ ପିଲାଙ୍କ ସବୁ ଆବଶ୍ୟକତାକୁ ପୁରା କରି ବଡ ମଣିଷ କରିଥାନ୍ତି । କିନ୍ତୁ ଆଜି ସେଇ ପିଲାମାନେ ବଡ ହୋଇ ବୃଦ୍ଧ ମା’ ବାପା ମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ କେଉଁଠି ନା କେଉଁଠି ପିତା ମାତାଙ୍କ ଉପରେ ହେଉଥିବା ଅତ୍ୟାଚାରର ଭିଡିଓ ଭାଇରାଲ ହେବାରେ ଲାଗିଛି । ପୁଅ କେଉଁଠି ମାଡ ମାରୁଛି ତ ଆଉ କେଉଁଠି ପେନସନ୍ ପାଇବା ଲୋଭରେ ମାକୁ ମାରି ଶବକୁ ଘରେ ଲୁଚାଇ ରଖୁଛି । ଏହିଭଳି ଦିନକୁ ଦିନ ପିତା ମାତାଙ୍କ ଉପରେ ହେଉଥିବା ଅତ୍ୟାଚାର ବଢିଚାଲିଛି । ସେହିଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ବାଶିମ ଅଞ୍ଚଳରେ । ଜମି ବିବାଦକୁ କେନ୍ଦ୍ରକରି ପୁଅ ବୁଢି ମା’କୁ ଖେତରେ ଚାଳନ୍ତା ଟ୍ରାକ୍ଟର ଆଗକୁ ପକାଇଦେଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ସମ୍ପୃକ୍ତ ପୁଅ ଉପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ଜୁନ ୨୧ ତାରିଖରେ ମହାରାଷ୍ଟ୍ର ବାସିମ ଜିଲ୍ଲାର ମୁଂଗଲା ଗାଁରେ ବାସ କରୁଥିବା ଜଣେ ଲୋକ ତାର ମା’କୁ ଚଳନ୍ତା ଟ୍ରାକ୍ଟର ଆଗକୁ ଠେଲିଦେଇଛି । ପ୍ରକୃତ ଘଟଣା ହେଉଛି, କିଛି ଦିନ ହେବ ରାଉତ ପରିବାର ଏବଂ ଦଳବୀ ପରିବାର ମଧ୍ୟରେ ଜମିକୁ ନେଇ ବିବାଦ ଚାଲିଥିଲା । ଏହି ମାମଲାରେ ତହସିଲଦାର ରାଉତ ପରିବାର ସପକ୍ଷରେ ଫଇସଲା ଶୁଣାଣି କରିଥିଲେ । ତହସିଲଦାରଙ୍କ ଫଇସଲା ପରେ ରାଉତ ପରିବା ଜମିରେ ଚାଷ କରିବା ପାଇଁ ଟ୍ରାକ୍ଟର ଚଳାଉଥିବା ବେଳେ ଦଳବୀ ପରିବାରର ଜଣେ ସଦସ୍ୟ ସେଠାକୁ ଆସି ଗଣ୍ଡଗୋଳ ଆରମ୍ଭ କରିଥିଲା । ଏହି ଗଣ୍ଡଗୋଳରେ ଦଳବୀ ପରିବାରର ସଦସ୍ୟ ରାଗିଯାଇ ନିଜ ମା’ କୁ ଚଳନ୍ତା ଟ୍ରାକ୍ଟର ଆଗରେ ଫୋପାଡି ଦେଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

ପୁଲିସଙ୍କ କହିବା ଅନୁସାରେ, ଗତ ୨୧ ତାରିଖ ଦିନ ଜମି ବିବାଦକୁ ନେଇ ଦୁଇ ଗୁଣ୍ଡାଙ୍କ ମଧ୍ୟରେ ଝଗଡା ଚାଲିଥିଲା । ଯାହା ଫଳରେ ନିରୀହ ବୁଢି ଲୋକଟିର ଏପରି ଅବସ୍ଥା ହୋଇଛି । ତେଣୁ ପୋଲିସ ଦୁଇ ପରିବାର ବିରୁଦ୍ଧରେ ଏକ ମାମଲା ରୁଜ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ।