ଟ୍ରେନ ଚଳାଚଳରେ ବାଧକସାଜୁଛି କୁହୁଡି ! ୧୩୯କୁ କଲ କରି ଯାତ୍ରୀ ପାଇପାରିବେ ସୂଚନା, ଟ୍ରେନ ବାତିଲ ହେଲେ ଏସଏମଏସରେ ମିଳିବ ସୂଚନା

ଟ୍ରେନ ଚଳାଚଳରେ ବାଧକସାଜୁଛି କୁହୁଡି

74

କନକ ବ୍ୟୁରୋ : ଦିଲ୍ଲୀ ସହିତ ଉତ୍ତର ଭାରତ ଓ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ, ଭୋର ସମୟରେ ଘନ କୁହୁଡ଼ି ହେଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଓ କିଛି ଟ୍ରେନ୍ ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ରଖାଯାଇଛି। ଘନ କୁହୁଡ଼ି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ୍ଗୁଡ଼ିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି। ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କକ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନ୍ଗୁଡ଼ିକର ଚଳାଚଳ ସମୟରେ ପ୍ରଭାବିତ ହେବ।

ତେଣୁ ବାତିଲ ହେବାକୁ ଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ୍ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି। ଯାତ୍ରୀମାନେ ଟିକେଟ ବୁକ୍ କରିବା ସମୟରେ ସେମାନଙ୍କ ଆବେଦନ ଫର୍ମରେ ମୋବାଇଲ ନମ୍ବର ପଞ୍ଜୀକରଣ କରିବା ଆବଶ୍ୟକ। ଫଳରେ ସେହିମାନଙ୍କୁ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ପୂର୍ବତଟ ରେଳପଥ କେତେକ ଟ୍ରେନ ଚଳାଚଳକୁ ବାତିଲ କରିବା ସହ କିଛି ଟ୍ରେନ୍ ସମୟରେ ପରିବର୍ତ୍ତନ କରାଯାଇପାରେ।

ତେଣୁ ଯାତ୍ରୀମାନେ ଏଥିରେ ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏଥିସହ ଯାତ୍ରୀମାନେ ଷ୍ଟେସନ୍କୁ ଆସିବାର ବହୁ ଆଗରୁ ସେମାନଙ୍କର ଟ୍ରେନ ସମ୍ବନ୍ଧରେ ‘୧୩୯’ ନମ୍ବରକୁ କଲ୍ କରି ସୂଚନା ପାଇପାରିବେ। କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ କୁହୁଡ଼ି ସମୟରେ ଟ୍ରେନ ଗତିକୁ ନିୟନ୍ତ୍ରଣ କରିବାକୁ ଡ୍ରାଇଭରମାନଙ୍କୁ କୁହାଯାଇଛି।