ସମୁଦାୟ ନମ୍ବରରୁ ଅଧିକ ନମ୍ବର ହାସଲ କରିଛନ୍ତି ପରୀକ୍ଷାର୍ଥୀ ! ଏପରିକି ପରୀକ୍ଷା ନଦେଇ ଅନେକ ଛାତ୍ରଛାତ୍ରୀ ପାସ୍ ।

23
ପ୍ରତି ଥର ବୋର୍ଡ ପରୀକ୍ଷାର ଟପ୍ପରଙ୍କୁ ନେଇ ଚର୍ଚ୍ଚାରେ ରହିଥାଏ ବିହାର ଶିକ୍ଷା ବୋର୍ଡ । କିନ୍ତୁ ଏଥର ଅନ୍ୟ ପରୀକ୍ଷାର୍ଥୀ ମାନଙ୍କର ନମ୍ବରକୁ ନେଇ ଏବେ ବିହାର ଶିକ୍ଷା ବୋର୍ଡକୁ ସମାଲୋଚନାର ଶିକାର ହେବାକୁ ପଡିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି, ଅନେକ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ସମୁଦାୟ ନମ୍ବର ଠାରୁ ଅଧିକ ନମ୍ବର ମିଳିଛି । ଏମିତିକି ଅନେକ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ସେହି ସବୁ ବିଷୟରେ ନମ୍ବର ଦିଆଯାଇଛି, ଯେଉଁଥିରେ ସେମାନେ ଆଦୌ ପରୀକ୍ଷା ହିଁ ଦେଇନଥିଲେ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅରବାଲ ଜିଲ୍ଲାର ଭୀମ କୁମାରଙ୍କୁ ଗଣିତରେ ସମୁଦାୟ ୩୫ ଅଙ୍କରୁ ୩୮ ଅଙ୍କ ହାସଲ ହୋଇଛି । ସେହିପରି ଅବଜେକ୍ଟିଭ ଟାଇପ ପ୍ରଶ୍ନ ଉପରେ ସମୁଦାୟ ୩୫ ନମ୍ବରରୁ ୩୭ ନମ୍ବର ଦିଆଯାଇଛି । ତେବେ ଭୀମ କୁମାର କହିଛନ୍ତି ଯେ, ଏଭଳି ତ୍ରୁଟିକୁ ନେଇ ସେ ଆଦୌ ଆଶ୍ଚର୍ଯ୍ୟଚକିତ ନୁହନ୍ତି କାରଣ ବିହାର ଶିକ୍ଷା ବୋର୍ଡରେ ଏଭଳି ତ୍ରୁଟି କ୍ରମାଗତ ଭାବେ ହୋଇଥାଏ ।
ସେହିପରି ପୂର୍ବ ଚମ୍ପାରଣ ନିବାସୀ ସନ୍ଦିପ ରାଜଙ୍କୁ ଫିଜିକ୍ସ ପେପରରେ ସମୁଦାୟ ୩୫ ନମ୍ବରରୁ ୩୮ ନମ୍ବର ମିଳିଛି । ଅନ୍ୟପକ୍ଷରେ ଏଭଳି ବହୁ ଛାତ୍ର ଅଛନ୍ତି ଯେଉଁମାନେ ପରୀକ୍ଷା ଦେଇନଥିଲେ କିନ୍ତୁ ସେମାନଙ୍କୁ ନମ୍ବର ମିଳିଛି । ତେବେ ବୋର୍ଡର ଏଭଳି କାର୍ଯ୍ୟରେ ଅନେକ ଛାତ୍ରଛାତ୍ରୀ ଅଡୁଆରେ ପଡିଛନ୍ତି । ସୂଚନା ଅନୁଯାୟୀ, ନିକଟରେ ବିହାର ବୋର୍ଡର ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ଯେଉଁଥିରେ ଟପ୍ପର ହୋଇଥିବା କଳ୍ପନା କୁମାରୀଙ୍କୁ ନେଇ ଅନେକ ବିବାଦ ଦେଖାଦେଇଥିଲା ।