ସ୍ୱାଧୀନତାର ୭୨ ବର୍ଷ ପରେ ବିକାଶରେ ବାଧା । ଏବେ ବି ରାଜ୍ୟର ୧୦ ହଜାର ଗାଁକୁ ସଡକ ସଂଯୋଗ ହୋଇନାହିଁ

ରାଜ୍ୟର ପ୍ରାୟ ୧୦ ହଜାର ଗାଁକୁ ସବୁଦିନିଆ ସଡ଼କ ସ˚ଯୋଗ ନାହିଁ

137

କନକ ବ୍ୟୁରୋ : ରାଜ୍ୟର ପ୍ରାୟ ୧୦ ହଜାର ଗାଁକୁ ସବୁଦିନିଆ ସଡ଼କ ସ˚ଯୋଗ ନାହିଁ। ସ୍ବାସ୍ଥ୍ୟ ବିଭାଗର ଖବର ଅନୁଯାୟୀ ରାଜ୍ୟର ୭୩୩୨ଟି ଗାଁକୁ ଆମ୍ବୁଲାନ୍ସ ଯାଇପାରୁନାହିଁ। ଏହି ଗାଁ ଗୁଡ଼ିକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ କରାଯାଇଛି। ତେବେ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଉଛି ସେଥିରେ ତାଳମେଳ ରହୁନଥିବାରୁ ବାସ୍ତବରେ କେତେ ଗାଁକୁ ରାସ୍ତା ନାହିଁ ସେ ସ˚କ୍ରାନ୍ତ ପ୍ରକୃତ ଚିତ୍ର ମିଳିପାରୁନାହିଁ। ବିଧାନସଭାରେ ବିଭିନ୍ନ ବିଭାଗକୁ ପ୍ରଶ୍ନ ପଚାରି ବିଧାୟକ ଦିଲିପ ରାୟ ଏଭଳି ତଥ୍ୟ ହାସଲ କରିଛନ୍ତି।

 

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ତଥ୍ୟ ଅନୁଯାୟୀ, ୨୦୦୦-୦୧ ବର୍ଷର ହିସାବ ଅନୁଯାୟୀ ୨୦୦୦ ଡିସେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ ହେବା ବେଳକୁ ରାଜ୍ୟର ସମୁଦାୟ ୫୦,୧୮୯ଟି ଗାଁ ମଧ୍ୟରୁ ୨୦,୪୩୮ଟି ଗାଁକୁ ସବୁଦିନିଆ ରାସ୍ତା ଥିଲା। ୨୯,୭୫୧ଟି ଗାଁକୁ ରାସ୍ତା ନ ଥିଲା। ଏଥିମଧ୍ୟରୁ ବର୍ତମାନ ସୁଦ୍ଧା ୧୪,୭୫୨ଟି ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ସଡ଼କ ସ˚ଯୋଗ କରାଯାଇଛି। ଏହି ହିସାବ ଅନୁଯାୟୀ ଆଉ ୧୪,୯୯୯ଟି ଗାଁକୁ ସଡ଼କ ନ ଥିଲା। ତେବେ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ୧୩୦୫ଟି ଗାଁକୁ ସବୁଦିନିଆ ରାସ୍ତା ଦ୍ବାରା ସ˚ଯୋଗ କରାଯାଇଛି। ଏହି ହିସାବ ବିଶ୍ଳେଷଣ କଲେ ୧୩,୬୮୪ ଗାଁକୁ ମୋଟାମୋଟି ଭାବେ ରାସ୍ତା ନାହଁ, ବୋଲି ଶ୍ରୀ ରାୟ ସୂଚାଇଛନ୍ତି।

 

ମନ୍ତ୍ରୀଙ୍କ ତଥ୍ୟରୁ ଆଧାର କରି ସେ ଦର୍ଶାଇଛନ୍ତି, ୨୦୦୦ ଡିସେମ୍ବର ୨୫ ବେଳକୁ ଯେଉଁ ୨୯,୭୯୧ଟି ଗାଁକୁ ରାସ୍ତା ନ ଥିଲା ସେଥିମଧ୍ୟରୁ ୧୮,୬୮୭ଟି ଗାଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ନିୟମାବଳୀରେ ଅନ୍ତର୍ଭୁକ୍ତ। ଏଥିରୁ ପିଏମଜେସୱାଇ ଓ ସରକାରଙ୍କ ଅନ୍ୟାନ୍ୟ ଯୋଜନାରେ ତିଆରି ହୋଇଥିବା ରାସ୍ତାକୁ ହିସାବକୁ ନେବା ପରେ ଆଉ ୨୧୩୫ଟି ଗ୍ରାମର ସ˚ଯୋଗୀକରଣ ପାଇଁ କାର୍ଯ୍ୟ ଚାଲିଛି। ଚଳିତ ଆର୍ଥିକବର୍ଷରେ ଆଉ ୨୩୩ଟି ଗାଁକୁ ସ˚ଯୋଗ କରିବା ପାଇଁ ଯୋଜନା ଅଛି। ବାକି ୨୬୨ଟି ଗାଁକୁ ବିଭିନ୍ନ କାରଣ ଯୋଗୁଁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିନାହିଁ।

 

ସେପଟେ ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟରେ ସବୁଦିନିଆ ସଡ଼କ ସ˚ଯୋଗ ନଥିବା ଗ୍ରାମ ସ˚ଖ୍ୟା କିନ୍ତୁ ଭିନ୍ନ। ଚଳିତ ବର୍ଷର ସରକାରୀ ଡାଏରିରେ ଦର୍ଶାଯାଇଛି, ଓଡ଼ିଶାରେ ଗ୍ରାମ ସ˚ଖ୍ୟା ୫୧,୬୮୧। ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ରାଜ୍ୟର ୭୩୩୨ଟି ଗାଁ ଗୁଡ଼ିକୁ ଅପହଞ୍ଚ ଇଲାକା ଭାବେ ଚିହ୍ନଟ ହୋଇଛି। ଏଥିମଧ୍ୟରୁ କୋରାପୁଟ ଜିଲ୍ଲାରେ ସର୍ବାଧିକ ୯୯୮ଟି ଥିବା ବେଳେ କନ୍ଧମାଳ ଜିଲ୍ଲାରେ ୯୧୪ଟି, ରାୟଗଡ଼ା ଜିଲ୍ଲାରେ ୮୧୭ଟି ଅପହଞ୍ଚ ଗାଁ ଥିବା ଦର୍ଶାଯାଇଛି। ଏହାଛଡ଼ା ଗଜପତି ଜିଲ୍ଲାରେ ୫୮୩ଟି, କଳାହାଣ୍ତିରେ ୫୩୫ଟି, ମାଲକାନଗିରିରେ ୫୬୧ଟି, ଗାମରେ ୪୮୩ଟି, ମୟୂରଭଞ୍ଜରେ ୩୨୯ଟି, ନବରଙ୍ଗପୁରରେ ୩୭୫ଟି, ନୟାଗଡ଼ରେ ୩୬୯ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୧୦ଟି ଅପହଞ୍ଚ ଗାଁ ରହିଛି।

 

ଏହି ଅପହଞ୍ଚ ଗାଁଗୁଡ଼ିକୁ ଆମ୍ବୁଲାନ୍ସ ଯାଇପାରୁନଥିବାରୁ ସେଗୁଡ଼ିକୁ ସ୍ବାସ୍ଥ୍ୟ ବିଭାଗର ସମ୍ପୂର୍ଣ୍ଣ। ଯୋଜନାରେ ସାମିଲ କରି ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପ୍ରସବ ନିମିତ୍ତ ଆଣିବା ପାଇଁ ହଜାରେ ଟଙ୍କା କରି ଆର୍ଥିକ ସହାୟତା ସହିତ ଜିଟିଏସ୍ ୟୁନାଇଟେଡ୍ ପାଣ୍ଠିରୁ ଅଗ୍ରିମ ଦେବାର ବ୍ୟବସ୍ଥା କରିଛି। ବାଇକ୍ ଆମ୍ବୁଲାନ୍ସ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ପ୍ରଚଳନ ପାଇଁ ବ୍ୟବସ୍ଥା ହୋଇଛି। ଗତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣା ଯୋଜନାରେ ୪୫ କୋଟି ଟଙ୍କା ବ୍ୟୟ କରିଥିବା ବିଭାଗୀୟ ମନ୍ତ୍ରୀ ବିଧାୟକ ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।