ରାହୁଲଙ୍କୁ ମୋଦିଙ୍କ କାଉଣ୍ଟର ଆଟାକ୍ ! କହିଲେ, ଗ୍ରାମାଫୋନ ପରି ଅଟକି ଯାଇଛି ରାହୁଲଙ୍କ ପିନ୍ ।

139

କନକ ବ୍ୟୁରୋ : ନିଜ ଭାଷଣକୁ ନେଇ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।  ଗୋଟିଏ ସ୍କ୍ରିପ୍ଟକୁ ବାରମ୍ବାର ଦୋହରାଇବା ନେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି ମୋଦି । କର୍ମୀଙ୍କ ସହ କଥା ହେବା ବେଳେ ମୋଦି କହିଛନ୍ତି ଯେ, ଗ୍ରାମୋଫୋନ ପରି ରାହୁଲଙ୍କ ପିନ୍ ଗୋଟିଏ ଜାଗାରେ ଅଟକି ଯାଇଛି ଯାହା ବାରମ୍ବାର ଗୋଟିଏ କଥାକୁ ଦୋହରାଉଛି ।

ଭିନ୍ନ ଭିନ୍ନ ସ୍ଥାନ ହେଲେ ସ୍କ୍ରିପ୍ଟ ଗୋଟିଏ  । ନିଜର ଭାଷଣକୁ ନେଇ ଚର୍ଚ୍ଚାରେ ରହୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ  । ଭାରତରେ ମୋବାଇଲ ନିର୍ମାଣକାରୀ କମ୍ପାନୀ ପ୍ରତିଷ୍ଠା ପରି ଏବେ ରାଫେଲ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି । ଯେଉଁଠି ଯେବେ ମୌକା ମିଳିଲା ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ ପ୍ରସଙ୍ଗରେ କରୁଛନ୍ତି ରାଜନୈତିକ ଆକ୍ରମଣ  । ରାଫେଲ ଡିଲ ନେଇ ମୋଦି ମୌନ ରହିବା ରାହୁଲଙ୍କୁ ଆହୁରି ଖୋରାକ ଯୋଗାଇଛି । ହେଲେ ଶୁଆ ରଟିଲା ପରି ରାହୁଲଙ୍କ ସମାନ ଢଙ୍ଗରେ ଭାଷଣକୁ ନେଇ ସମାଲୋଚନା ଆରମ୍ଭ କରିଦେଇଛି ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଆଟାକ କରିବା ଏବେ ରାହୁଲଙ୍କୁ କାଉଂଟର ଆଟାକ କରିଛନ୍ତି ମୋଦି । ଗ୍ରାମୋଫୋନ ପରି ରାହୁଲଙ୍କ ପିନ୍ ଗୋଟିଏ ଜାଗାରେ ଅଟକି ଯାଇଥିବା ଶାଣିତ ଟିପ୍ପଣୀ କରିଚନ୍ତି ମୋଦି ।

‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ବୈତୁଲର କର୍ମୀଙ୍କ ସହ କଥା ହୋଇଥିଲେ ମୋଦି । ଏହି ଅବସରରେ କର୍ମୀ ଜଣକ କହିଥିଲେ ଯେ, ଦେଶର ଅନେକ ସ୍ଥାନରେ ମୋବାଇଲ ନିର୍ମାଣକାରୀ କମ୍ପାନି ଥବାବେଳେ ରାହୁଲ ଗାନ୍ଧୀ ସବୁ ସ୍ଥାନକୁ ଯାଇ ସେଠାରେ ମୋବାଇଲ କମ୍ପାନି ଖୋଲିବା କଥା କହୁଛନ୍ତି । ଏହାକୁ ସମାଲୋଚନା କରି ମୋଦି କହିଥିଲେ ଯେ, ଗ୍ରାମୋଫୋନ ପରି ରାହୁଲଙ୍କ ପିନ୍ ମଧ୍ୟ ଅଟକି ଯାଇ ବାରମ୍ବାର ଗୋଟିଏ କଥାକୁ ଦୋହରାଉଛି । ଏବଂ ଆପଣମାନେ ମଧ୍ୟ ଏହାର ମଜା ନିଅନ୍ତୁ ବୋଲି ମୋଦି କହିଥିଲେ । ସେପଟେ ଏହାର ଜବାବ ରଖିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ଏକମାତ୍ର ଦଳ ଯିଏକି ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ଲଢେ । ଏବଂ ବିଜେପି ଅନ୍ୟ ରାଜନୈତିକ ଦଳ ଗୁଡିକୁ ମଧ୍ୟ ବିକାଶ ପ୍ରସଙ୍ଗ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ବାଧ୍ୟ କରିଦେବ ବୋଲି ମୋଦି କହିଛନ୍ତି ।