ସିଡବ୍ଲ୍ୟୁସିରେ ବରିଷ୍ଠ ନେତାଙ୍କ ପୁତ୍ର-ମୋହ ଉପରେ ବର୍ଷିଲେ ରାହୁଲ : କହିଲେ, ପୁଅଙ୍କ ଟିକେଟ ପାଇଁ ଇସ୍ତଫା ଧମକ ଦେଇଥିଲେ ନେତା

292

ଲୋକସଭା ନିର୍ବାଚନରେ ମିଳିଥିବା ପରାଜୟ ଉପରେ ସମୀକ୍ଷା ବୈଠକରେ କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବରିଷ୍ଠ ନେତାଙ୍କ ଉପରେ ବର୍ଷିଛନ୍ତି । ସେ କଂଗ୍ରେସର ବରିଷ୍ଠ ନେତାଙ୍କ ପୁତ୍ର-ମୋହ ଉପରେ ରାଗିଯାଇ କହିଛନ୍ତି, “ନେତାମାନେ ନିଜ ପୁଅକୁ ଟିକେଟ୍ ଦେବା ପାଇଁ ମୋ ଉପରେ ଚାପ ପକାଉଥିଲେ । କହୁଥିଲେ, ପୁଅକୁ ଟିକେଟ୍ ନମିଳିଲେ ସେମାନେ ଇସ୍ତଫା ଦେବେ ।” ରାହୁଲଙ୍କ ଟାର୍ଗେଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ଚିଦମ୍ବରମ ଥିଲେ ।

ସୂଚନା ମୁତାବକ, ବୈଠକ ସମୟରେ ପ୍ରଥମେ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ କି, ଆମକୁ ରାଜ୍ୟରେ ସ୍ଥାନୀୟ ନେତୃତ୍ୱକୁ ମଜବୁତ କରିବା ଉଚିତ୍ । ସିନ୍ଧିଆଙ୍କ କଥାରେ ରାହୁଲ କହିଲେ, “କ’ଣ ଆମକୁ ଏଥିପାଇଁ ରାଜ୍ୟରେ ନେତୃତ୍ୱକୁ ମଜବୁତ କରିବା ଉଚିତ୍ କି, ମୁଖ୍ୟମନ୍ତ୍ରୀ ନିଜ ପୁଅଙ୍କ ଟିକେଟ୍ ପାଇଁ ଚାପ ପକାଇବେ ।”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ଯୋଧପୁରରୁ ନିର୍ବାଚନ ଲଢ଼ି ହାରିଲେ । ଯେବେକି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ତାଙ୍କ ସିଟ୍ ଛିନ୍ଦୱାଡା ଓ ଚିଦମ୍ବରମଙ୍କ ପୁଅ କାର୍ତ୍ତିକ ଚିଦମ୍ବରମ୍ ତାମିଲନାଡୁର ଶିବଗଙ୍ଗା ଲୋକସଭା ସିଟରୁ ବିଜୟ ହେଲେ । ଗେହଲଟ୍ ଓ ଚିଦମ୍ବରମ କଂଗ୍ରେସ ୱାର୍କିଙ୍ଗ କମିଟିର ସଦସ୍ୟ । କମଲନାଥ ଏହି ବୈଠକରେ ଉପସ୍ଥିତ ନଥିଲେ । ଶେଷରେ ରାହୁଲ ପରାଜୟର ଦାୟିତ୍ୱ ନେଇ ଅଧ୍ୟକ୍ଷ ପଦ ଛାଡିବା ପାଇଁ ଉପସ୍ଥାପନା କଲେ, ଯେଉଁଥିରେ ସମସ୍ତ ସଦସ୍ୟ ଗୋଟିଏ ସ୍ୱରରେ ନାମଂଜୁର କଲେ ।