ସ୍ୱର୍ଣ୍ଣ ମନ୍ଦିରର ଅମାପ ଭଣ୍ଡାର ! ଜାଣନ୍ତୁ ଗୋଟିଏ ଦିନରେ ଦରକାର ହୁଏ କେତେ କ୍ୱିଣ୍ଟାଲ ଅଟା ଓ କେତେ କ୍ୱିଣ୍ଟାଲ ଚାଉଳରେ ପ୍ରସ୍ତୁତ ହୁଏ ଭାତ

66

ଭାରତର ବିଭିନ୍ନ ଦର୍ଶନୀୟ ମନ୍ଦିର ମଧ୍ୟରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଅନ୍ୟତମ । ଏଠାକୁ ପ୍ରତେକ ଦିନ ଆସୁଥିବା ଶ୍ରଦ୍ଧାଳୁ କେବେ ଭୋକରେ ଫେରନ୍ତି ନାହିଁ । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଏଠାକୁ ଆସିଥାନ୍ତି । ସ୍ୱର୍ଣ୍ଣ ମନ୍ଦିରରେ ଲାଗୁଥିବା ଲଙ୍ଗରକୁ ନେଇ ଅନେକ ରୋଚକ ତଥ୍ୟ ରହିଛି । ପ୍ରତିଦିନ ସ୍ୱର୍ଣ୍ଣ ମନ୍ଦିରରେ ଲାଗୁଥିବା ଲଙ୍ଗର ପାଇଁ ୫୦ କ୍ୱିଣ୍ଟାଲ ଗହମ, ୧୮ କ୍ୱିଣ୍ଟାଲ ଡ଼ାଲି, ୧୪ କ୍ୱିଣ୍ଟାଲ ଚାଉଳ, ୭ କ୍ୱିଣ୍ଟାଲ କ୍ଷୀରର ଆବଶ୍ୟକତା ପଡ଼ିଥାଏ । ଆଉ ଏଥିରୁ ଅନୁମାନ କରୁଥିବେ ପ୍ରତ୍ୟେକ ଦିନ କେତେ ଲୋକଙ୍କ ପାଇଁ ଏଠାରେ ରୋଷେଇ ହୋଇଥାଏ ।

ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଦିନ ମନ୍ଦିରରେ ଲାଗୁଥିବା ଲଙ୍ଗରରେ ପ୍ରାୟ ୨ ଲକ୍ଷ ଲୋକ ଖାଇଥାନ୍ତି । ଅଥାର୍ତ ଏଠାରେ ପ୍ରତିଦିନ ୨ରୁ ୩ ଲକ୍ଷ ଲୋକଙ୍କ ପାଇଁ ରୋଷେଇ ହୋଇଥାଏ । ତେବେ ଏଠାରେ ଦିନକୁ ୧୦ ଲକ୍ଷ ଲୋକ ପ୍ରସାଦ ଖାଇବାର ବ୍ୟବସ୍ଥା କରାଯାଇଛି । ସବୁଠୁ ବଡ଼ କଥା ହେଲା, ଲଙ୍ଗରରେ ମିଳୁଥିବା ପ୍ରସାଦ ପାଇଁ ହେଉଥିବା ଖର୍ଚ୍ଚ ଭକ୍ତ ମାନେ ସ୍ୱଇଚ୍ଛାରେ ଦେଇଥାନ୍ତି । ଏଠାରେ ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଲୋକଙ୍କୁ ପରଷିବା ପର୍ଯ୍ୟନ୍ତ ସମସ୍ତ କାମ ଶ୍ରଦ୍ଧାଳୁ ମାନେ ସ୍ୱଇଚ୍ଛାରେ କରିଥାନ୍ତି । ୮ ବର୍ଷରୁ ଆରମ୍ଭ କରି ୮୦ ବର୍ଷର ଶ୍ରଦ୍ଧାଳୁ ସମସ୍ତଙ୍କୁ ସେବା କରିବାର ଅଧିକାର ରହିଛି ।

ଏଠାରେ ପ୍ରତିଦିନ ୧୦୦ କ୍ୱିଣ୍ଟାଲ ଚାଉଳ ରୋଷେଇ କରାଯାଇଥାଏ । ପ୍ରତି କ୍ୱିଣ୍ଟାଲ ଚାଉଳ ପିଛା ୩୦ କିଲୋଗ୍ରାମରୁ ଅଧିକ ଡାଲି ଓ ପନିପରିବା ରୋଷେଇ କରାଯାଇଥାଏ । ଏହାଛଡ଼ା ଚପାତୀ ପ୍ରସ୍ତୁତ କରିବାକୁ ଆଠଟି ମେସିନ ରହିଛି । ଯେଉଁଥିରେ ହଜାର ହଜାର ଚପାତି ପ୍ରସ୍ତୁତ କରାଯାଇଥାଏ । କେବଳ ମେସିନରେ ନୁହେଁ ମହିଳା ଓ ପୁରୁଷ ସ୍ୱୟଂ ସେବକ ମଧ୍ୟ ନିଜ ହାତରେ ଚପାତି ପ୍ରସ୍ତୁତ କରିଥାନ୍ତି । ଏପରିକି ପ୍ରସାଦରେ ୨୫୦ କିଲୋଗ୍ରାମ ଦେଶୀ ଘିଅ ମଧ୍ୟ ବ୍ୟବହାର କରାଯାଇଥାଏ । ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରତି ଦିନ ୫ ହଜାର କିଲୋଗ୍ରାମ କାଠ ଜାଳେଣୀ ଓ ଶହେରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ପଡ଼ିଥାଏ ।

ରୁଟି ପ୍ରସ୍ତୁତ କରିବା ପାଇଁ ଏଠାରେ ପ୍ରତିଦିନ ୫୦ କ୍ୱିଣ୍ଟାଲ ଅଟା ଆବଶ୍ୟକତା ପଡ଼ିଥାଏ । ପ୍ରିତିଦ ଏଠାରେ ଆନୁମାନିକ ୨ରୁ ୩ଲକ୍ଷ ରୁଟି ପ୍ରସ୍ତୁତ କରାଯାଇଥାଏ । ଏଥିପାଇଁ ଏଠାରେ ୧୧ଟି ବିଶାଳକାୟ ତାୱା ଲଗାଯାଇଛି । ଏହାଛଡ଼ା ବିଭିନ୍ନ ଉତ୍ସବ ସମୟରେ ରୁଟି ପ୍ରସ୍ତୁତ ହେଉଥିବା ମେସିନରେ ରୁଟି ତିଆରି କରାଯାଇଥାଏ । ଆଉ ଏହି ମେସିନ ଗୁଡ଼ିକୁ ଲେବାନନର ଜଣେ ଭକ୍ତ ଗୁରୁଦ୍ୱାରକୁ ଦାନ ସୁତ୍ରରେ ଦେଇଥିଲେ । ଏହି ମେସିନରେ ଏକ ଘଣ୍ଟାରେ ୨୫ ହଜାର ରୁଟି ପ୍ରସ୍ତୁତ କରାଯାଇପାରିବ । ଏହାବ୍ୟତୀତ ଶ୍ରଦ୍ଧାଳୁଙ୍କ ଖାଇବା ପାଇଁ ଲକ୍ଷେରୁ ଅଧିକ ଥାଳି , ଗିଲାସ ଓ ଚାମଚ ରହିଛି । ଯାହାକୁ ବ୍ୟବହାର କରିବା ପରେ ଶ୍ରଦ୍ଧାଳୁ ମାନେ ନିଜ ଇଚ୍ଛାରେ ଏହାକୁ ଧୋଇ ମଧ୍ୟ ପାରିବେ ।

ସ୍ୱର୍ଣ୍ଣ ମନ୍ଦିରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଠାରେ ପ୍ରତି ଘଣ୍ଟାରେ ୩୦ ହଜାର କପ ଚାହା ପ୍ରସ୍ତୁତ କରାଯାଇଥାଏ । ଏତେ ମାତ୍ରାରେ ଚାହା ପ୍ରସ୍ତୁତ କରିବା ପାଇଁ ୬ ଜଣିଆ ଟିମ୍ ମଧ୍ୟ ରହିଛି । ଚାହା ପାଇଁ ୩୦ କିଲୋଗ୍ରାମ ଦୁଗ୍ଧ ପାଉଡ଼ରକୁ ୩୦୦ ଲିଟର ପାଣିରେ ମିଶା ଯାଇଥାଏ । ଯେତେବେଳେ ଏହା ଫୁଟିବା ଆରମ୍ଭ କରିଥାଏ ସେଥିରେ ୫୦ କିଲୋ ଚିନି ପକା ଯାଇଥାଏ । ସ୍ୱୟଂ ସେବକ ମାନେ କାମ କରିବା ପରେ ଏମାନଙ୍କୁ ଚାହା ଦିଆଯାଇଥାଏ । ଏଠାରେ ଚାହା ଗିଲାସ ବଦଳରେ କଂସା କିମ୍ବା ପାତ୍ରରେ ଦିଆଯାଇଥାଏ ।