ଘନ ଅନ୍ଧାର ଥିଲା, କିନ୍ତୁ ଭୟ ଲାଗୁନଥିଲା ! ରତ୍ନଭଣ୍ଡାର ଭିତରେ କେମିତି ଥିଲା ପରିବେଶ, ଅନୁଭୂତି ବଖାଣିଲେ ପୂର୍ବତନ ଅଧିକାରୀ
କନକ ବ୍ୟୁରୋ : ଏପ୍ରିଲ ୪ ତଥା ଆସନ୍ତାକାଲି ଖୋଲାଯିବ ରତ୍ନଭଣ୍ଡାର । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ କୋଟି କୋଟି ଜଗନ୍ନାଥ ପ୍ରେମୀ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତ । ଏକବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଖୋଲାଯିବାକୁ ଯାଉଛି ରତ୍ନଭଣ୍ଡାର । ତେବେ ଏହା ପୂର୍ବରୁ ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ଅଲୌକିକ ଘଟଣା ବା ଲୋକକଥା ସାମ୍ନାକୁ ଆସିଛି । ଏପରିକି ଇଂରେଜ ଶାସନ ସମୟରେ ଜଣେ ଜିଲ୍ଲାପାଳ ଭଣ୍ଡାର ଗୃହ ଖୋଲିବାକୁ ନିଷ୍ପତି ନେଇ କିଭିଳି ହଇରାଣ ହୋଇଥିଲେ ସେ ନେଇ ମଧ୍ୟ ଲୋକକଥା ରହିଛି । ଯାହା ରତ୍ନଭଣ୍ଡାରକୁ ଆହୁରି ରହସ୍ୟମୟ କରିଛି । ତେବେ ବାସ୍ତବରେ ରତ୍ନଭଣ୍ଡାର ଘରକୁ ଗଲେ କଣ ହୁଏ ତାହାର ଅନୁଭୂତି ଭଣ୍ଡାର ଗୃହ ଭିତରକୁ ଯିଏ ଯାଇଛି ସେ ହିଁ ଜାଣିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସେତେବେଳର ଶ୍ରୀମନ୍ଦିର ସହଯୋଗୀ ପ୍ରଶାସକ ଥିବା ରବୀନ୍ଦ୍ର ନାରାୟଣ ମିଶ୍ର ଭଣ୍ଡାର ଘରକୁ ଯାଇଥିଲେ । ଆଉ ସେ କନକ ନ୍ୟୁଜରେ ରତ୍ନଭଣ୍ଡାର ଭିତରର ଯେଉଁ ଅନୁଭୂତି ବଖାଣିଥିଲେ ତାହା ବେଶ ରୋମାଞ୍ଚକର ।
ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ କହିବା ଅନୁଯାୟୀ, ୧୯୮୪ ମସିହାରେ ରତ୍ନଭଣ୍ଡାର ଖୋଲିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା । ଏହି କମିଟିରେ ଗଜପତି ମହାରାଜଙ୍କ ପ୍ରତିନିଧି, ଭଣ୍ଡାର ମେକାପ, ପରିଚାଳନା କମିଟିର ସେବକଙ୍କ ସମେତ ସେ ସ୍ଥାନ ପାଇଥିଲେ । ଅନ୍ଧାରୁଆ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ବଡ ଦୀପର ସାହାର୍ଯ୍ୟ ନେଇଥିଲେ । ଦୀପ ଆଲୁଅରେ ଯାହା ଦେଖିଥିଲେ ତାହା ତାଙ୍କୁ ବିସ୍ମିତ କରିଥିଲା । ଦୀପ ଆଲୁଅରେ ସ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଅଳଙ୍କାର ସଂଗ୍ରହ କରିଥିଲେ । କିନ୍ତୁ କୌଣସି ଇଲେକଟ୍ରିକ ସରଞ୍ଜାମ ଭିତରକୁ ନେଇ ନଥିବା କହିଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । କିନ୍ତୁ ଦୀପରେ ଆଲୁଅରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଦେଖି ସେ ଅଭିଭୂତ ହୋଇଯାଇଥିଲେ । ସବୁ ସିନ୍ଦୁକ ଖୋଲିନଥିଲେ ମଧ୍ୟ ଯେତିକି ସିନ୍ଦୁକ ଖୋଲାଯାଇଥିଲା ସେଥିରେ ବିଭିନ୍ନ ଦୁମୂଲ୍ୟ ଅଳଙ୍କାର ରହିଥିଲା । ଏପରି କଦଳୀ ଭଣ୍ଡା ଭଳି କୁଣ୍ଡଳ ଓ ଏକ ହାତ ଲମ୍ବର ଚିତା ଦେଖିବା ପରେ ସେ ସମ୍ଭୀଭୂତ ହୋଇଯାଇଥିଲେ । ଏହାର ନିର୍ମାଣ ଶୈଳୀ ଦେଖି ସେ ଚମକି ପଡିଥିଲେ । ଏହାସହ ଏହି ଅଳଙ୍କାରରେ ପ୍ରଭୁ କିଭଳି ଦେଖା ଯାଉଥିବେ ତାହା କଳ୍ପନା ଚକ୍ଷୁରେ ଦେଖି ସେ ବେଶ ଆନନ୍ଦିତ ହୋଇଥିଲେ ।
ପ୍ରଥମ ଭଣ୍ଡାର ଘରେ କେବଳ ମହାପ୍ରଭୂୁଙ୍କ ବେଶ ଓ ନୀତିକାନ୍ତି ପାଇଁ ଅଳଙ୍କାର ରହିଥିବା ବେଳେ ଭିତର ଭଣ୍ଡାରରେ ଅନେକ ସୁନା,ହୀରା, ମଣି, ମୁକ୍ତା ଭଳି ଦୁମୂଲ୍ୟ ଅଳଙ୍କାର ରହିଛି । କିନ୍ତୁ ସବୁ ସିନ୍ଦୁକ ଖୋଲିବାକୁ ତାଙ୍କୁ ଅଧିକାର ଦିଆ ଯାଇନଥିବାରୁ ସେ ଅଳ୍ପ କିଛି ସିନ୍ଦୁକ ଖୋଲି ମହାପ୍ରଭୁଙ୍କ ଅଳଙ୍କାର ପାଇଁ ଆବଶ୍ୟକ ସୁନା ନେଇ ସେଠାରୁ ଚାଲିଆସିଥିଲେ । ତେବେ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ତାଙ୍କୁ ଆଦୌ ଭୟ ଲାଗୁନଥିଲା ବୋଲି ସେ କହିଛନ୍ତି । ବରଂ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯିବା ବେଳେ ସେ ବେଶ ଆନନ୍ଦିତ ହୋଇଥିଲେ । ଯେଉଁମାନେ କୌଣସି ଅପରାଧିକ କାର୍ଯ୍ୟ ପାଇଁ ପ୍ରଭୁଙ୍କ ରତ୍ନଭଣ୍ଡାରରେ ଯାଇଥାନ୍ତି ସେମାନଙ୍କୁ ଭୟ ଲାଗିଥାଏ । ଯେହେତୁ ସେ ପ୍ରଭୁଙ୍କ କାମ ପାଇଁ ରତ୍ନଭଣ୍ଡାର ଭିତରକୁ ଯାଇଥିଲେ ତେଣୁ ସେଭଳି ଭୟ ତାଙ୍କ ମନରେ ନଥିଲା । ତେବେ ରତ୍ନଭଣ୍ଡାର ଘରର ଅଭୁଲା ଅନୁଭୂତି ଭାବିଲେ ତାଙ୍କ ଦେହରେ ସୃଷ୍ଟି ହୋଇଥାଏ ବୋଲି ରବୀନ୍ଦ୍ର ନାରାୟଣ ମିଶ୍ର କହିଛନ୍ତି ।