ଠିକ୍ ସମୟରେ ଔଷଧ ବିତରଣ କରୁନଥିବାରୁ ୧୫ କମ୍ପାନୀକୁ କଳା ତାଲିକାଭୁକ୍ତ କଲେ ସରକାର

28

କନକ ବ୍ୟୁରୋ : ଧୋକା ଦେଉଛନ୍ତି ଔଷଧ କମ୍ପାନି। ରାଜ୍ୟ ଔଷଧ ନିଗମ ଜରିଆରେ ‘ନିରାମୟ’କୁ ଆସୁଥିବା ଔଷଧ ନିମ୍ନମାନର ବା ଏନଏସକ୍ୟୁ ଥିବା ପରୀକ୍ଷାରେ ଜଣାପଡ଼ୁଛି। ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟରେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଣ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଅଧିକ ସଂଖ୍ୟାରେ ଔଷଧ ପ୍ରସ୍ତୁତକାରୀ କମ୍ପାନି ନ ଥିବା ବେଳେ ରାଜ୍ୟ ବାହାରର କମ୍ପାନି ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲେଣି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ରେ ରାଜ୍ୟ ଔଷଧ ଯୋଗାଣ ନିଗମ ବା ଓଏସଏମସିଏଲ ଆରମ୍ଭ ହୋଇଥିଲା। ୨୦୧୫/୧୬ବର୍ଷରେ ୧୦ଟି ନିମ୍ନମାନର ଔଷଧ ପରୀକ୍ଷାରେ ସ୍ପଷ୍ଟ ହୋଇଥିଲା। ୨୦୧୬/୧୭ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଥିଲା। ତେବେ ୨୦୧୭/୧୮ରେ ଏହା ୯କୁ ଖସି ଆସିଥିଲା। ମାତ୍ର ଚଳିତ ବର୍ଷ ଅଗଷ୍ଟ ମଧ୍ୟରେ ୧୩ଟି ନିମ୍ନମାନର ଔଷଧ ପରୀକ୍ଷା ସମୟରେ ନଜରକୁ ଆସିଛି। ସମୁଦାୟ ୧୪୦ ବ୍ୟାଚର ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଔଷଧ ରାଜ୍ୟ ବାହାରର କମ୍ପାନି ଯୋଗାଇଛନ୍ତି। ନିକଟରେ ଗୁଜୁରାଟର ଏକ କମ୍ପାନି ନିମ୍ନମାନର ସାଲାଇନ୍ ରାଜ୍ୟକୁ ଯୋଗାଇଥିବା ନଜରକୁ ଆସିଥିଲା।