ଚର୍ଚ୍ଚାରେ ସମୋ ବିବିଙ୍କ ସର୍ଭିସ ସେଣ୍ଟର । ସ୍ୱାମୀ ଚାଲିଯିବା ପରେ ଗାଡ଼ି ଧୋଇ ପରିବାର ପୋଷୁଛନ୍ତି ସ୍ୱାବଲମ୍ବୀ ମହିଳା, ନାତିଙ୍କୁ ପଢ଼ାଉଛନ୍ତି ପାଠ

303

କନକ ବ୍ୟୁରୋ : ସ୍ୱାବଲମ୍ବୀ ମହିଳା ସମୋ ବିବି । ଅଳ୍ପ ବୟସରୁ ସ୍ୱାମୀଙ୍କୁ ହରାଇଛନ୍ତି, କିନ୍ତୁ କାହା ପାଖରେ ହାତ ପତାଇ ନାହାନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ଦୁଃଖ ରୂପି ପାହାଡ ଡେଇଁ ସ୍ୱାବଲମ୍ବୀ ହୋଇପାରିଛନ୍ତି ସମୋ । ଝିଅ ଓ ନାତିଙ୍କ ମୁହଁରେ ଦାନା ଦି ମୁଠା ଦେବା ପାଇଁ ରାସ୍ତାକଡରେ ସର୍ଭିସିଂ ସେଣ୍ଟର କରି ଗାଡି ଧୋଉଛନ୍ତି ସମୋ ।

କଟକ ଯୋବ୍ରା ଅଞ୍ଚଳ ରାସ୍ତା କଡରେ ରହିଛି ସମୋଙ୍କ ଗାଡି ସର୍ଭିସିଂ ସେଣ୍ଟର । ସକାଳ ୭ଟାରୁ ସନ୍ଧ୍ୟା ୬ଟା । ବର୍ଷ ତମାମ ଏଭଳି ଗାଡି ଧୋଇ ଆସୁଛନ୍ତି ସମୋ । କାରଣ ସେ ଗାଡି ଧୋଇଲେ ତାଙ୍କ ନାତି ପାଠ ପଢିବ, ଝିଅ ଭଲରେ ଦି ଗଣ୍ଡେ ଖାଇବ । ତେବେ ସର୍ଭିସିଂ ସେଣ୍ଟର କରିବା ପୂର୍ବରୁ ସେ ତେଜରାତି ଦୋକାନ କରିଛନ୍ତି, ଘରକୁ ଘର ବୁଲି ଶାଢୀ ବିକିଛନ୍ତି । କିନ୍ତୁ ପ୍ରତି ବେପାରରେ ଠକାମୀର ଶିକାର ହେବା ପରେ ଗାଡି ସର୍ଭିସିଂ କରିବା ଆରମ୍ଭ କରିଥିଲେ ସମୋ । ଆଉ ଚାହୁଁ ଚାହୁଁ ଏହି କାମରେ ଦୀର୍ଘ ୨୫ ବର୍ଷ ବିତାଇ ସାରିଲେଣି ସମୋ ।

ସାଧାରଣତଃ ଗାଡି ସର୍ଭିସିଂ ଭଳି କାମ ପୁରୁଷ ମାନଙ୍କୁ କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ସମୋ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି । ନିଜେ ଭଲ ଦି ପଇସା ରୋଜଗାର କରିବା ସହ ଅନ୍ୟ ଦୁଇଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଆଉ ସବୁଠୁ ବଡ କଥା ହେଲା, ସମୋଙ୍କ ଗାଡି ଧୂଆକୁ ବେଶ ପସନ୍ଦ କରନ୍ତି ଗାଡି ଚାଳକ । କାରଣ ସମୋଙ୍କ ହାତ ବାଜିବା ପରେ ଧୂଳି ଧୂସର ଦେଖାଯାଉଥିବା ଗାଡି ଚିକଚିକ୍ କରିଥାଏ ।  ଏସବୁ ଭିତରେ ସମୋଙ୍କ ଗୋଟିଏ ଡର ତାଙ୍କର ଏହି ସର୍ଭିସିଂ ସେଣ୍ଟରକୁ କେବେ ଭାଙ୍ଗି ଦେବେନି ତ ସରକାର । କାରଣ ସରକାରୀ ଜାଗା ଉପରେ ତିଆରି ହୋଇଛି ତାଙ୍କର ଏହି ସ୍ୱପ୍ନର ସର୍ଭିସିଂ ସେଣ୍ଟର ।