ସେନାର ବଡ଼ କାର୍ଯ୍ୟାନୁଷ୍ଠାନ ! ପୁଲୱାମାରେ ୩ ଆତଙ୍କୀ ନିପାତ, ଜଣେ ଯବାନ ଶହୀଦ୍ ।

95

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ  । ପୁଲୱାମାରେ ନିପାତ ହେଲେ ୩ ଆତଙ୍କବାଦୀ  । ଘଟଣାରେ ଜଣେ ଯବାନ ଶହୀଦ ହୋଇଛନ୍ତି  । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟ୍ ପୁଣି ଜୋରଦାର ହୋଇଥିବା ପ୍ରମାଣିତ ହୋଇଛି  । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏନକାଉଁଟରରେ ସେନା ଯବାନରୁ ଆତଙ୍କବାଦୀ ପାଲଟିଥିବା ହିଜବୁଲ୍ ସଦସ୍ୟ ଜହୁର ଠୋକର ମୃତ୍ୟୁବରଣ କରିଛି  ।

ସ୍ଥାନ – ପୁଲୱାମାର ଖାରପୁରା ଗାଁ । ସମୟ – ଶନିବାର ସକାଳ । ଆତଙ୍କ ଗତିବିଧିର ସୂଚନା ପାଇ ସେନା କର୍ଡନ୍ ଓ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଅଚାନକ ଶୁଭେ ଗୁଳିମାଡ଼ର ଶବ୍ଦ  । ଯବାନଙ୍କ ଉପରକୁ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିଦିଅନ୍ତି  । ଯବାନ ତୁରନ୍ତ ନିଜ ପୋଜିସନ୍ ସମ୍ଭାଳିବା ସହ ଆରମ୍ଭ କରିଥିଲେ କାଉଁଟର ଫାୟାରିଂ । ଅନେକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିବା ପରେ ଯବାନଙ୍କ ଗୁଳିରେ ନିପାତ ହୋଇଥିଲେ ୩ ଆତଙ୍କୀ  । ଏହି ଘଟଣାରେ ଜଣେ ସୁରକ୍ଷା କର୍ମୀ ପ୍ରାଣ ହରାଇଥିବା ବେଳେ ପଥରମାଡ଼ କରିଥିବା ୭ ଜଣ ନାଗରିକଙ୍କର ମୃତ୍ୟୁ ହୋଇଛି  । ଗୁଳିମାଡ଼ରେ ଯବାନରୁ ଆତଙ୍କୀ ପାଲଟିଥିବା ଜହୁର ଠୋକର୍ ପ୍ରାଣ ହରାଇଛି  । ଅନ୍ୟ ପଟେ ସ୍ଥାନୀୟ ଅଂଚଳରେ ହିଂସା ବାତାବରଣ ସୃଷ୍ଟି ହେବାରୁ ଇଂଟରନେଟ ସେବା ବନ୍ଦ କରାଯାଇଛି  ।

ଆତଙ୍କର ସୌଦାଗର ଜହୁର୍ ଠୋକର୍

– ସେନାର ୧୭୩ ଟେରିଟୋରିଆଲ୍ ଆର୍ମିରେ ଯବାନ୍ ଭାବେ କାମ କରୁଥିବା ଜହୁର୍ ଠୋକର୍ ୨୦୧୬ ମସିହାରେ ସର୍ଭିସ୍ ରାଇଫଲ୍ ନେଇ ଫେରାର୍ ହୋଇଯାଇଥିଲା  ।

– ହିଜବୁଲ୍ ମୁଜାହିଦ୍ଦିନରେ ଯୋଗ ଦେଇ ଜହୁର୍ କ୍ରମେ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଆସୁଥିଲା ଓ ସ୍ଥାନୀୟ ଯୁବକଙ୍କୁ ହିଂସାପାଇଁ ଉସୁକାଇବା ମୁଖ୍ୟ କାମ ଥିଲା  ।

– ସେନାର ଯବାନ ଔରଙ୍ଗଜେବ୍ ଅପହରଣ ହତ୍ୟା ମାମଲାରେ ଜହୁର ସଂପୃକ୍ତ ଥିଲା ଓ ତିନି ତିନି ଥର ଯବାନଙ୍କ ଗୁଳିରୁ ଅଳ୍ପକେ ବର୍ତିଯାଇଥିଲା ଏହି ହିଜବୁଲ୍ ଆତଙ୍କୀ  ।

ଚଳିତବର୍ଷ ଜାମ୍ମୁ କାଶ୍ମୀରରେ ସେନା କାର୍ଯ୍ୟାନୁଷ୍ଠାନରେ ୨୩୫ରୁ ଅଧିକ ଆତଙ୍କୀ ନିପାତ ହୋଇଛନ୍ତି  । ମୃତ୍ୟୁବରଣ କରିଥିବା ଅଧିକାଂଶ ଆତଙ୍କୀ ହେଉଛନ୍ତି ସ୍ଥାନୀୟ ଅଂଚଳର  । ତେବେ ସେନା କାର୍ଯ୍ୟାନୁଷ୍ଠାନ ଯୋଗୁ ବେଆଇନ୍ ଅନୁପ୍ରବେଶ ପାଇଁ ସହାୟତା ଓ ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନର ନିଦ ହଜିଯାଇ ଥିବା କୁହାଯାଉଛି  । ଅନ୍ୟପଟେ ଲଗାତର ଭାବେ କାଶ୍ମୀର ଘାଟିରେ ଯେଉଁଭଳି ଭାବେ ପାକ୍ ପ୍ରାୟୋଜିତ ଆତଙ୍କ ବଢ଼ି ଚାଲିଛି ଏହାର ଜବାବ ଦେବାକୁ ଅପରେସନ୍ ଅଲଆଉଟକୁ ଜୋରଦାର କରାଯାଇଛି  ।