ବିନା ବିଦ୍ୟୁତରେ ଚାଲିବ ଟିଭି ! ଆଶ୍ଚର୍ଯ୍ୟ ହୁଅନ୍ତୁନି. . . ଖୁବଶୀଘ୍ର ବଜାରକୁ ଆସୁଛି ସୋଲାର ଟିଭି

52

ସନ୍‌ କିଙ୍ଗ୍‌ ବ୍ରାଣ୍ଡ୍‌ ନାମରେ ସୌର ଶକ୍ତି ଚାଳିତ ସାମଗ୍ରୀ ବିକ୍ରି କରୁଥିବା ଗ୍ରିନଲାଇଟ୍‌ ପ୍ଲାନେଟ୍‌ ଖୁବ୍‌ଶୀଘ୍ର ଆଣିବ ସୋଲାର୍‌ ଟିଭି । ବିଦ୍ୟୁତ ଶକ୍ତି ନଥିବା ସମୟରେ ଏହି ଟିଭି ଚାଲିବ । କଂପାନି ୨୦ ଇଞ୍ଚ୍‌ର ସୋଲାର୍‌ ଟିଭି ଆଣିବାକୁ ଯୋଜନା ରଖିଛି ବୋଲି ଗ୍ରିନ୍‌ଲାଇଟ୍‌ ପ୍ଲାନେଟ୍‌ର ଖୁଚୁରା ବ୍ୟବସାୟ ମୁଖ୍ୟ ପ୍ରିୟବ୍ରତ ଦାସ କହିଛନ୍ତି । ଆଜି କଂପାନିର ଚାରିଟି ନୂଆ ସୋଲାର୍‌ ଲାଇଟ୍‌କୁ ଉନ୍ମୋଚନ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି । ସେହି ଲାଇଟ୍‌ଗୁଡ଼ିକ ହେଉଛି ସନ୍‌ କିଙ୍ଗ ପିକୋ ପ୍ଲସ୍‌, ପ୍ରୋ ୨୦୦, ପ୍ରୋ ୩୦୦ ଓ ପ୍ରୋ ୪୦୦ । ଏଗୁଡ଼ିକର ମୂଲ୍ୟ ୪୯୯ ଟଙ୍କାରୁ ଆରମ୍ଭ ହୋଇ ୨୬୯୯ ଟଙ୍କା ମଧ୍ୟରେ ରହିଛି। ଇଲେକ୍ଟ୍ରିକ୍‌ କାର୍‌ଗୁଡ଼ିକରେ ବ୍ୟବହାର କରାଯାଉଥିବା ଲିଥିୟମ୍‌ ଏନ୍‌ଏମ୍‌ସି ବ୍ୟାଟେରିକୁ ଏଥିରେ ବ୍ୟବହାର କରାଯାଇଛି ।

ଗତବର୍ଷ କଂପାନି ଓଡ଼ିଶାରେ ୭୦ ହଜାରରୁ ଅଧିକ ସୋଲାର୍‌ ଲାଇଟ୍‌ ବିକ୍ରି କରିଥିଲା । ଏହି ନୂତନ ଉତ୍ପାଦ ଜରିଆରେ ବିକ୍ରି ପରିମାଣ ଦୁଇ ଗୁଣ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । କଂପାନି ପକ୍ଷରୁ ୫୪୯୯ ଟଙ୍କାରେ ସୋଲାର ଟେବୁଲ୍‌ ଫ୍ୟାନ୍‌ ମଧ୍ୟ ବିକ୍ରି କରାଯାଉଛି । ଏହି ଫ୍ୟାନ୍‌ରେ ୧୫ ଓ୍ଵାଟ୍‌ର ପ୍ୟାନେଲ୍‌ ଓ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ରହିଛି । ଏହା ୧୦ ଘଣ୍ଟାର ବ୍ୟାକ୍‌ ଅପ୍‌ ପ୍ରଦାନ କରୁଛି । ଶ୍ରୀ ଦାସ କହିଛନ୍ତି ଯେ ଆଗାମୀ ଦିନରେ ଆମେ ସୋଲାର୍‌ ପମ୍ପ୍‌ ଓ ଓ୍ଵାଟର୍‌ ହିଟର୍‌ ଆଣିବାକୁ ଯୋଜନା ରଖିଛୁ । ଗତବର୍ଷ କଂପାନି ଓଡ଼ିଶାରେ ୪୦ କୋଟି ଟଙ୍କାର କାରବାର ସହିତ ସାରା ଭାରତରେ ୨୦୦ କୋଟି ଟଙ୍କାରୁ ଅଧିକ କାରବାର କରିଥିଲା ।