ରାଜଧାନୀରେ ଘର ତିଆରି କଲେ ମାନିବାକୁ ପଡ଼ିବ ନୂଆ ନିୟମ ! ନୂଆ ଘର ପାଇଁ ସୌର ପ୍ୟାନେଲ୍ ଲଗାଇବା ବାଧ୍ୟତାମୂଳକ

412

କନକ ବ୍ୟୁରୋ : ଖୁବ୍‌ ଶୀଘ୍ର ଭୁବନେଶ୍ବର ଏବଂ ଏହା ଆଖପାଖ ଅଞ୍ଚଳରେ (ବିଡିଏ ଅଧୀନସ୍ଥ) ଘର ନିର୍ମାଣ କଲେ ସୌର ଶକ୍ତି ବ୍ୟବହାର କରିବାକୁ ହେବ । ଛାତ ଉପରେ କେତେ କିଲୋୱାଟ୍‌ର ସୋଲାର ପ୍ୟାନେଲ ଲଗାଇବେ ସେନେଇ ଆବେଦନ କରିବାକୁ ଥିବା ଘର ପ୍ଲାନ୍‌ରେ ଦର୍ଶାଇବାକୁ ପଡ଼ିବ । ସୌର ଶକ୍ତି ବ୍ୟବହାର କରିବା ନେଇ ପ୍ଲାନ୍‌ ଦେଇ ନଥିଲେ ଘର ପ୍ଲାନ୍‌ ଅନୁମୋଦନ ହେବନି । ଏଥିପାଇଁ ଖୁବ୍ ଶୀଘ୍ର ବିଡିଏର ବିଲ୍‌ଡିଂ ବାଇ ଲ’ରେ ଖୁବ୍ ଶୀଘ୍ର ସଂଶୋଧନ ଅଣାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜ୍ଞାନ ଓ ବୈଷୟିକ ଜ୍ଞାନ ଉପରେ ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଏକଜିକ୍ୟୁଟିଭ୍ କାଉନସିଲ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ରାଜ୍ୟରେ ବିଦ୍ୟୁତ ଖର୍ଚ୍ଚ କମାଇବା ପାଇଁ ରାଜ୍ୟ ସରକାର ସୌରଶକ୍ତିର ଅଧିକ ବ୍ୟବହାର କରିବାକୁ ଚାହୁଁଛନ୍ତି । ତେଣୁ ସମସ୍ତ ସରକାରୀ ଓ ବେସରକାରୀ ଘରେ ସୌର ପ୍ୟାନେଲ୍‌ ବସାଇବାକୁ ନିଷ୍ପତ୍ତିି ହୋଇଛି । ନୂଆ କରି ଯେଉଁ ଘର/ଅଫିସ ନିର୍ମାଣ ହେଉଥିବ ତାହାର ବିଲ୍‌ଡିଂ ପ୍ଲାନ୍ ଅନୁମୋଦନ ସମୟରେ ସୌର ପ୍ୟାନେଲ୍‌ ଲଗାଇବା ବାଧ୍ୟତାମୂଳକ ରଖିବାକୁ କୁହାଯାଇଛି ।

ସାଧାରଣ ଲୋକ ଯେପରି ସୌର ପ୍ୟାନେଲ୍‌ ଲଗାଇବାକୁ ଆଗ୍ରହୀ ହେବେ ସେଥିପାଇଁ ଏକ କିଲୋୱାଟ୍‌ କ୍ଷମତା ବିଶିଷ୍ଟ ସୌର ପ୍ୟାନେଲ୍‌ ଲଗାଇଲେ ରାଜ୍ୟ ସରକାର ୧୦ହଜାର ଟଙ୍କା ସବ୍‌ସିଡ୍‌ ଦେବେ । ଏନେଇ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାର ନାମ କ’ଣ ରହିବ, କିପରି ହିତାଧିକାରୀଙ୍କୁ ସବ୍‌ସିଡ୍ ଅର୍ଥ ମିଳିବ ସେନେଇ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗ ନିଷ୍ପତ୍ତି ନେବ ।

ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଘରେ ସୌର ପ୍ୟାନେଲ୍‌ ଲାଗିଲେ ରାଜ୍ୟ ସରକାରଙ୍କୁ ସବ୍‌ସିଡ୍‌ ବାବଦକୁ କେତେ ଅର୍ଥ ଦେବାକୁ ପଡ଼ିବ, କିପରି ଏହା ଗ୍ରାହକଙ୍କ ମୁତାବକ ଯୋଗାଇ ହେବ ସେନେଇ ଡିପିଆର୍ ପ୍ରସ୍ତୁତ କରିବାକୁ ଖୁବ୍ ଶୀଘ୍ର ଏକ ଘରୋଇ ସଂସ୍ଥାକୁ ମୁତୟନ କରାଯିବ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ସୌର ପ୍ୟାନେଲ୍ ରାଜଧାନୀରେ ଅନ୍ୟ ସ୍ଥାନରେ ଲଗାଇବା ପୂର୍ବରୁ ପ୍ରଥମେ ସଚିବାଳୟକ ସୌର ଶକ୍ତି ଦ୍ବାରା ଚଳାଇବାକୁ ହେବ । ଏନେଇ ଖୁବ୍ ଶୀଘ୍ର କାର‌୍ୟ୍ୟ ଆରମ୍ଭ କରିବାକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ ବିଭାଗକୁ କୁହାଯାଇଛି ।