ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ନିକଟକୁ ପଠାଯିବ ମହାକାଶଯାନ ! ଆରମ୍ଭ ହେବ ନାସାର ସୋଲାର ମିଶନ, ସୂର୍ଯ୍ୟଙ୍କ ବିଷୟରେ ମିଳିବ ଅଧିକ ତଥ୍ୟ

89

ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବାକୁ ଯିବ ମହାକାଶଯାନ । ଏଭଳି ଦୁଃସାହସିକ ପଦକ୍ଷେପ ନେବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା- ନାସା । ସକଳ ଶକ୍ତିର ଆଧାର କୁହାଯାଉଥିବା ସୂର୍ଯ୍ୟ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ଆଗାମୀ ଜୁଲାଇ ୩୧ ତାରିଖରୁ ଆରମ୍ଭ ହେବ ଅଭିଯାନ ।

ଆସନ୍ତା ଜୁଲାଇ ୩୧ ତାରିଖରେ ମହାକାଶ ଗବେଷଣାରେ ସୃଷ୍ଟି ହେବ ନୂଆ ଇତିହାସ । ସୂର୍ଯ୍ୟ ନିକଟକୁ ପଠାଯିବ ମାନବ ସଭ୍ୟତାର ପ୍ରଥମ ମହାକାଶଯାନ । ନାସା ଏହି ଯାନର ନାମ ‘ପାର୍କର ସୋଲାର ପ୍ରୋବ’୍ ରଖିଛି । ଏହି ମହାକାଶ ଯାନ ପୃଥିବୀ ଛାଡିବାର ପ୍ରାୟ ୭ ବର୍ଷ ୬ ମାସ ପରେ ୨୦୨୪ ଡିସେମ୍ବର ୧୯ ତାରିଖରେ ସୂର୍ଯ୍ୟର ନିକଟତମ ସ୍ଥାନରେ ପହଂଚିବ । ଏଥି ପାଇଁ ପାର୍କର ପ୍ରୋବକୁ ପ୍ରାୟ ୧୫ କୋଟି କିଲୋମିଟର ବାଟ ଅତିକ୍ରମ କରିବାକୁ ପଡିବ ।

ଏହି ଅଭିଯାନ ସଫଳ ହେଲେ ପ୍ରଥମ ଥର ପାଇଁ କୌଣସି ମାନବ ତିଆରି ଯାନ ସୂର୍ଯ୍ୟର ବାୟୁମଣ୍ଡଳରେ ପ୍ରବେଶ କରିବ । ତେବେ ସୂର୍ଯ୍ୟ ପୃଷ୍ଠର ତାପମାତ୍ରା ପ୍ରାୟ ୫ହଜାର ୫ଶହ ଡିଗ୍ରୀ ସେଲସିଅସରୁ ମଧ୍ୟ ଅଧିକ । ଏପରିକି ସୂର୍ଯ୍ୟ ପୃଷ୍ଠଠାରୁ ପ୍ରାୟ ୧୦ ଲକ୍ଷ କିଲୋମିଟର ପୂର୍ବରୁ ଏହି ତାପମାତ୍ରା ଅନୁଭୂତ ହେବ । ଏହାକୁ ସହ୍ୟ କରିବା ସାଧାରଣରେ ଅସମ୍ଭବ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଏହି ଯାନରେ ସ୍ୱତନ୍ତ୍ର ତାପରୋଧି ବ୍ୟବସ୍ଥା ବ୍ୟବହାର କରିଛନ୍ତି ମହାକାଶ ବିଜ୍ଞାନୀ ।

ପାର୍କର ସୋଲାର ପ୍ରୋବ ସୌର ପବନ ଓ ତାର ଚୁମ୍ବକୀୟ କ୍ଷେତ୍ର ସହ ଶକ୍ତି କଣିକାର ପରିବହନ ଉପରେ ଅଧିକ ଗବେଷଣା କରିବ । ଏହା ସହ ସୂର୍ଯ୍ୟର କେନ୍ଦ୍ରରେ ଥିବା ପ୍ଲାଜମାକୁ ମଧ୍ୟ ଅନୁଧ୍ୟାନ କରିବ ପାର୍କର ପ୍ରୋବ । ଏବେ ଏହି ମହାକାଶଯାନଟି ଆମେରିକା ସ୍ଥିତ ଫ୍ଲୋରିଡାକୁ ଅଣାଯାଇଛି । ଏଠାରେ ଉତକ୍ଷେପଣ ହେବା ପର୍ଯ୍ୟନ୍ତ ଏହି ଯାନର ବିଭିନ୍ନ ପରୀକ୍ଷା କରାଯିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ନାସା ।