ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଅପହରଣ କରିଛନ୍ତି କି ମାଓବାଦୀ ? ପୁଲିସ କହିଲା, କରାଯିବ ତଦନ୍ତ । ଭୁବନେଶ୍ୱରରେ ମାଓ ପୋଷ୍ଟର ପରେ ଜୋର ଧରିଲା ଚର୍ଚ୍ଚା

36

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ଛାତ୍ର ସୋହେଲ ଏଜାଜ ନିଖୋଜ ଘଟଣାରେ ଆସିଛି ନୂଆମୋଡ । ସୋହେଲଙ୍କୁ ମାଓବାଦୀମାଦେ ଅପହରଣ କରିନେଇଥିବା ନେଇ ଭୁବନେଶ୍ୱର ବରମୁଣ୍ଡାରେ ଏକ ପୋଷ୍ଟର ଦେଖିବାକୁ ମିଳିଛି । ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ କାନ୍ଥରେ ସିପିଆଇ ମାଓବାଦୀ ନାଁ ଲେଖାଥିବା ଏହି ପୋଷ୍ଟରରେ ସୋହୋଲକୁ ଅପହରଣ କରାଯାଇଥିବା ଲେଖାଅଛି ।

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଖଲାସ କଲେ ସୋହେଲଙ୍କୁ ମୁକ୍ତ କରାଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ଅଛି । କମିଶନରେଟ ପୁଲିସ ପୋଷ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି । ପୋଷ୍ଟର ତଳେ ସିପିଆଇ ଏମ୍ ଲେଖାଯାଇଥିଲେ ମଧ୍ୟ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ସ୍ପଷ୍ଟ ହୋଇନାହିଁ ।

ସେପଟେ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ଡିସିପି ସତ୍ୟବ୍ରତ ଭୋଇ । ଏହି ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଛନ୍ତି ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା । ଏହା ମିଛ କଥା ବୋଲି ସେ କହିଛନ୍ତି । ଏମ୍ସରେ ପଢୁଥିବା ଜମ୍ମୁ କଶ୍ମୀର କୁପୱାଡା ଅଂଚଳର ସୋହେଲ ଏଜାଜ ଗତ ଫେବ୍ରୁଆରୀ ୯ତାରିଖ ପରଠାରୁ ତାଙ୍କ ପରିବାର କିମ୍ବା କୌଣସି ବନ୍ଧୁଙ୍କ ସହ ଯୋଗାଯୋଗ କରିନାହାନ୍ତି ।