ପେଶା ସପ୍ଟୱେର ଇଞ୍ଜିନିୟର, ନିଶା କିନ୍ତୁ ଚାଷ ! ୫ ଦିନ ଅଫିସରେ ଆଉ ୨ ଦିନ ଚାଷଜମିରେ

84

ନିଶା ଓ ପେଶାକୁ ଏକାସମୟରେ ପ୍ରାଧାନ୍ୟ ଦେବା କଷ୍ଟକର ବ୍ୟାପାର । କାରଣ ଉଭୟ ଦିଗକୁ ଧ୍ୟାନ ଦେଲେ କୌଣସି କାମ ଠିକରେ ହୁଏନି ବୋଲି ଲୋକଙ୍କ ଧାରଣା ରହିଛି । କିନ୍ତୁ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର । ଏକ ସମୟରେ ସେ ଚାକିରି କରିବା ସହ ଚାଷ କାମ ମଧ୍ୟ କରୁଛନ୍ତି । ୩୨ ବର୍ଷୀୟ ମହେଶ କାଭଲଗା ବେଙ୍ଗାଲୁରୁର କଗ୍ନିଜେଣ୍ଟ ଟେକ୍ନୋଲେଜିରେ ଜଣେ ସପ୍ଟୱେର ଇଞ୍ଜିନିୟର ଅଛନ୍ତି । ଭଲ ଚାକିରି ତଥା ଭଲ ଦରମା ସତ୍ୱେ ସେ ପ୍ରତି ସପ୍ତାହରେ କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାର ନିଜ ଗାଁ କାୱାଲଗା ଯାଆନ୍ତି କେବଳ ଚାଷ କାମ ପାଇଁ । ସେ ଶୁକ୍ରବାରକୁ ଯାତ୍ରା ଆରମ୍ଭ କରନ୍ତି ଏବଂ ଗାଁରେ ପହଞ୍ଚି ୨ ଦିନ କ୍ଷେତରେ କାମ କରିବା ପରେ ପୁଣି ରବିବାର ରାତିରେ ବେଙ୍ଗାଲୁରୁ କର୍ମସ୍ଥଳକୁ ଫେରି ଆସନ୍ତି ।

ମହେଶ ନିଜ ଗାଁରେ ପ୍ରାଥମିକ ଶିକ୍ଷା ସମାପ୍ତ କରି ଉଚ୍ଚ ଶିକ୍ଷା ପାଇଁ ଗୁଲଗର୍ମା ଗଲେ । ସେ ୨୦୦୭ରେ ପିଡ଼ିଏ କଲେଜ ଅଫ ଇଞ୍ଜିନିୟରିଂରୁ ଆଇଟିରେ ନିଜର ବିଟେକ୍ ପାଠ୍ୟକ୍ରମ ପୁରାକରି ଗୋଟିଏ ସପ୍ଟୱେର କମ୍ପାନୀରେ ଚାକିରି କଲେ । ଏସବୁ ଭିତରେ ସେ ଗାଁ କଥା କେବେ ଭୁଲି ନାହାନ୍ତି । ଚାକିରି କଲେ ମଧ୍ୟ ମନଟା ସବୁବେଳେ ତାଙ୍କର ଗାଁରେ ଥାଏ । ୨୦୧୬ ଏପ୍ରିଲ ମାସରେ ମହେଶ ଚାଷ କାମ ଆରମ୍ଭ କରିଥିଲେ । ଏକାସମୟରେ ଚାକିରି ଓ ଚାଷକାମ କରିବା ସହଜ ନୁହଁ । ଏସବୁ ସତ୍ୱେ ସେ ତାଙ୍କ ଚାକରି ଛାଡ଼ିନଥିଲେ । କାରଣ ଚାଷଜମି, ଚାଷରେ ବ୍ୟବହୃତ ସାମଗ୍ରୀ ପୋଖରୀ ଓ ଗୋଦାମ ପାଇଁ ଟଙ୍କା ମଧ୍ୟ ଜରୁରୀ ଥିଲା । ତେଣୁ ସେ ଚାକରି ନଛାଡ଼ି ଚାଷ ଆରମ୍ଭ କରିବା ପାଇଁ ମନସ୍ଥ କରିଥିଲେ । ସେ କହିଛନ୍ତି, ବୈଜ୍ଞାନିକ ପ୍ରକ୍ରିୟାରେ ଚାଷ ଯୋଗୁଁ ଗାଁର ମୃତ୍ତିକା ପୁରାପୁରି ଭାବେ ଖରାପ ହୋଇଯାଇଛି । ସେଥିପାଇଁ ମୁଁ ମୋ ଗାଁ ପାଇଁ କିଛି କରିବା ପାଇଁ ନିଷ୍ପତି ନେଇଥିଲି । ଏହି ପଦକ୍ଷେପ ଯୋଗୁଁ ତାଙ୍କର ୪୦ ଏକର ପୈତୃକ ଜମିର ରକ୍ଷଣାବେକ୍ଷଣ ମଧ୍ୟ ସେ କରିପାରୁଛନ୍ତି ।

ମହେଶ ବର୍ଷ ତମାମ ତାଙ୍କ ଜମିରେ ୩୦ ପ୍ରକାର ଫସଲ ଲଗାନ୍ତି । ସେ ବିଭିନ୍ନ ପ୍ରକାରର ଧାନ, ଡ଼ାଲି ଜାତୀୟ ଓ ପରିବା ଚାଷ କରନ୍ତି । ଏହ ବ୍ୟତୀତ ସେ ବିଭିନ୍ନ ପ୍ରକାରର ଅର୍ଥକାରୀ ଫସଲ ଯେପରି ଗହମ, ମଟର, ମୁଗ ଓ ବିରି ଆଦି ଫସଲ କରନ୍ତି । ସେ ସପ୍ତାହରେ ମାତ୍ର ୨ ଦିନ ପାଇଁ ରହୁଥିବାରୁ ଚାଷକାମରେ ସାହଯ୍ୟ ପାଇଁ ୨ ଜଣକୁ ରଖିିଛନ୍ତି । ମହେଶ କହନ୍ତି ମୁିଁ ୧୦୦ ପ୍ରତିଶତ ଆତ୍ମନିର୍ଭରଶୀଳ ହେବାକୁ ଚାହେଁ ଯଦ୍ୱାରା ବଜାରରକୁ କିଛି ବି କିଣିବା ପାଇଁ ପଡ଼ିବ ନାହିଁ । ଏହାସହ ମହେଶ କହିଛନ୍ତି ଆମ ଦେଶରେ ଲୋକମାନେ ବଜାର ଉପରେ ନିର୍ଭରଣୀଳ । ଏଥଯୋଗୁଁ ଦିନକୁ ଦିନ ଖର୍ଚ୍ଚ ବଢ଼ୁଛି ।

ଏହାସହ ସେ ତାଙ୍କ ଗାଁର ଜଳ ସମସ୍ୟା ସହ ମଧ୍ୟ ସେ ଅବଗତ ଅଛନ୍ତି । ଏଥିଯୋଗୁଁ ବର୍ଷାଜଳ ସଂରକ୍ଷଣ ପାଇଁ ଏକ ଛୋଟ ପୋଖରୀ ଖୋଳିଛନ୍ତି । ପୁରୁଣା କୃଷି ପଦ୍ଧତିକୁ ଫେରାଇ ଆଣିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି ମହେଶ ଏବଂ ଏହା ତାଙ୍କର ଲକ୍ଷ୍ୟ ବୋଲି ସେ କହନ୍ତି । ସେ ଯେତେବଳେ ଚାଷ କାମ ଆରମ୍ଭ କରିଥିଲେ ଅନେକ ଲୋକଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ତାଙ୍କ ନିଜ ପରବାରର କିଛି ଲୋକ ମଧ୍ୟ ଏହି କାମରେ ତାଙ୍କୁ ସାହାଯ୍ୟ କରିଥିଲେ । କେବଳ ଯେ ଚାଷ କାମ କରୁଛନ୍ତି, ମହେଶ ତା’ ନୁହଁ କୃଷକ ମାନଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି । ମହେଶ ତାଙ୍କ ସଫଳତାର ଶ୍ରେୟ ତାଙ୍କ ଘରଲୋକ , ବନ୍ଧୁୁ ଓ ସହକର୍ମୀଙ୍କୁ ଦିଅନ୍ତି । କାରଣ ସମସ୍ତଙ୍କ ସହଯୋଗ ବିନା ଗୋଟିଏ ସମୟରେ ଚାକରି ସହ ଚାଷ କାମ କରିବା ସମ୍ଭବପର ନୁହଁ । ସେ କହିଛନ୍ତି ମୁଁ ଚାହେଁ, ୨୦୧୫ ପର୍ୟ୍ୟନ୍ତ ମୋ ଜିଲ୍ଲା ଗୁଲବର୍ଗାକୁ ରାସାୟନିକ ମୁକ୍ତ ଓ ଆତ୍ମନିର୍ଭରଶୀଳ ହେଉ ।