ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା ! ୩ଶହ ଟଙ୍କା ପାଉଥିବା ହିତାଧିକାରୀ ଏଣିକି ପାଇବେ ୫ଶହ ଟଙ୍କା, ଉପକୃତ ହେବେ ୪୮ ଲକ୍ଷ ହିତାଧିକାରୀ

1,531

କନକ ବ୍ୟୁରୋ : ବଢ଼ିଲା ସାମାଜିକ ସୁରକ୍ଷା ଭତ୍ତା । ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ୨୦୦ ଟଙ୍କା ସୁରକ୍ଷା ଭତ୍ତା ବୃଦ୍ଧି କରିଛି । ସାମାଜିକ ସୁରକ୍ଷା ଭତା ପାଉଥିବା ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନ କ୍ଷମ ଓ ଅସହାୟ ମହିଳାଙ୍କ ପାଇଁ ମାସିକ ୨ଶହ ଟଙ୍କା ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଫଳରେ ଏଣିକି ୩ଶହ ଟଙ୍କା ଭତା ପାଉଥିବା ହିତାଧିକାରୀ ୫ଶହ ଟଙ୍କା ପାଇବେ । ସେହିପରି ୮୦ ବର୍ଷରୁ ଅଧିକ ବୟସ୍କ ମାସିକ ୭ଶହ ଟଙ୍କା ଭତ୍ତା ପାଇବେ । ଆଗାମି ଫେବ୍ରୁଆରୀ ୧୫ ତାରିଖରୁ ମଧୁବାବୁ ପେନସନ ଯୋଜନାରେ ଏହି ଅଧିକ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଳରେ ରାଜ୍ୟର ୪୮ଲକ୍ଷ ଲୋକ ଉପକୃତ ହେବେ । ଏଥିସହ ଆଜି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ୧୦ଟି ଜିଲ୍ଲାର ୧୦ଟି ବ୍ଲକ ପାଇଁ ୪୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପର୍ଯ୍ୟନ୍ତ ମୋଟ ୩୦୬ଟି ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପହଁଚି ପାରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  ।

ତେବେ ଭତ୍ତା ବୃଦ୍ଧି ଘୋଷଣା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ହିତାଧିକାରୀ ସାମାଜିକ ସୁରକ୍ଷା ପାଇବା ଉଚିତ୍ । ଆଉ ଏହାକୁ ଦୃଷ୍ଟରେ ରଖି ମଧୁବାବୁ ପେନସନ୍ ଯୋଜନାରେ ଅଧିକ ୫ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଛି । ଗରିବ କଲ୍ୟାଣ ଯୋଜନା ମୋତେ ସବୁଠାରୁ ଅଧିକ ସନ୍ତୋଷ ଦେଇଥାଏ ।

ସରକାରଙ୍କ ଏହି ଘୋଷଣା ପରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୫ ଫେବୃୟାରୀ ୨୦୧୯ ରୁ ମଧୁବାବୁ ପେନସନ୍ ଯୋଜନାରେ ଏହି ଅଧିକ ଟଙ୍କା ପାଇପାରିବେ ହିତାଧିକାରୀ । ରାଜ୍ୟର ୪୮ ଲକ୍ଷ ଗରିବ ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ଓ ଅସହାୟ ମହିଳା ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଯୋଗୁଁ ଉପକୃତ ହୋଇପାରିବେ ।