ପ୍ରାର୍ଥୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଲା ଲଗାମ୍ ! ମିଥ୍ୟା ଖବର ପ୍ରଚାର ଉପରେ ଲାଗିବ ରୋକ୍, ଉଲ୍ଲଂଘନ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।

138

କନକ ବ୍ୟୁରୋ : ନିର୍ବାଚନ ସମୟରେ ସୋସିଆଲ ମିଡିଆକୁ ନେତାମାନେ ଖରାପ ଢଙ୍ଗରେ ବ୍ୟବହାର କରିବା ଆଶଙ୍କାରେ ନିର୍ବାଚନ କମିଶନ ଏହା ଉପରେ ବି ଆଚରଣ ବିଧି ଲାଗୁ କରିଛନ୍ତି । କହିଛନ୍ତି, ସୋସିଆଲ ମିଡିଆ ଉପରେ ମନିଟରିଂ କରାଯିବ । ଦେଶର ଜନସଂଖ୍ୟାର ପ୍ରାୟ ୫୦ କୋଟି ଲୋକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । ଚଳିତଥର ୯୦ କୋଟି ଭୋଟର ଭୋଟ ଦେଉଥିବାବେଳେ ସୋସିଆଲ ମିଡିଆ ଉପରେ କଟକଣା ଲଗାଇଛି ନିର୍ବାଚନ କମିଶନ ।

ଫେସବୁକ୍, ଟ୍ୱିଟର୍, ଗୁଗୁଲ ଭଳି ସୋସିଆଲ୍ ସାଇଟରେ ପୋଷ୍ଟ କରାଯାଉଥିବା ତଥ୍ୟକୁ ମନିଟରିଂ କରାଯିବ । ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର କ୍ଷମତା ରଖୁଛି ସୋସିଆଲ୍ ସାଇଟ୍ । ତେଣୁ ପ୍ରଥମଥର ପାଇଁ ଏଭଳି ନିୟମ ଆଣିଛନ୍ତି ନିର୍ବାଚନ କମିଶନ୍ ।

– ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କୁ ଦେବାକୁ ହେବ ସେମାନଙ୍କ ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କୀତ ତଥ୍ୟ ।

– ଅଫିସରଙ୍କୁ ନିଯୁକ୍ତି ଦିଆଯାଇ ସୋସିଆଲ ମିଡିଆରେ ଯେଉଁଭଳି କୈାଣସି ମିଥ୍ୟା ଖବର ପ୍ରଚାରିତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ ।

– ଉଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ରହିବ ଅଫିସରଙ୍କ ପାଖରେ ।

– ନିର୍ବାଚନ କମିଶନଙ୍କ ସହଯୋଗରେ ଇଂଟରନେଟ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ନିର୍ବାଚନ ସମୟରେ ଅନଲାଇନ ପ୍ଲାଟଫର୍ମ ଉପରେ ନଜର ରଖିବା ପାଇଁ କିଛି ନିୟମାବଳୀ ପ୍ରସ୍ତୁତ କରାଯାଇଛି ।

– ସୋସିଆଲ ମିଡିଆରେ ପ୍ରଚାର ଲାଗି ଖର୍ଚ୍ଚ ହେଉଥିବା ଅର୍ଥକୁ ନିର୍ବାଚନୀ ପ୍ରଚାର ଅର୍ଥରେ ଅନ୍ତର୍ଭୁକ୍ତ କରାଯିବ  ।

– ନିୟମ ଅନୁଯାୟୀ ସୋସିଆଲ ସାଇଟରେ ରାଜନୀତି ସମ୍ପର୍କୀତ କୌଣସି ବିଜ୍ଞାପନ ଦେବା ପୂର୍ବରୁ ଏଥିପାଇଁ ଅନୁମତି ଜରୁରୀ ।

– ଏଥିପାଇଁ ଗୁଗୁଲ୍, ଫେସବୁକ୍, ଟ୍ୱିଟର୍ ଏବଂ ୟୁ ଟ୍ୟୁବ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି ।

ରାଜନୈତିକ କ୍ଷେତ୍ରରେ ସୋସିଆଲ ମିଡିଆର ଗୁରୁତ୍ୱ ବେଶ୍ ଅଧିକ । ଅନେକ ସମୟରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ମତାମତ କିମ୍ବା ଅଭିଯୋଗ ସେମାନଙ୍କର ସୋସିଆଲ ମିଡିଆ ଆକାଉଂଟରେ ଦେଖିବାକୁ ମିଳେ । ଇଲେକ୍ସନ କମିଶନଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ପୂର୍ବତନ ନିର୍ବାଚନ ଅଧିକାରୀ । ୨୦୧୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିବା ବେଳେ ୨୦୧୯ ନିର୍ବାଚନରେ ଏହାର ବ୍ୟବହାରକୁ ନେଇ କଟକଣା ଜାରି କରାଯାଇଛି ।