ସରକାର ମିଛ ଖବର ପ୍ରସାର କରିବା ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରନ୍ତି ! ସର୍ବେକ୍ଷଣରୁ ଆସିଲା ତଥ୍ୟ

37

ସାରା ଦୁନିଆରେ ସରକାର ନିଜ ପାଖରେ ସାଇବର ଏକ୍ସପର୍ଟ ରଖନ୍ତି , ଯେଉଁମାନେ ଫେସବୁକ୍ , ଟ୍ୱିଟର ପରି ମିଡ଼ିଆ ପ୍ଲାଟଫର୍ମର ବ୍ୟବହାର କରି ସାଧାରଣ ଲୋକଙ୍କ ମତ ତିଆରି କରିବା ଓ ମିଛ ଖବର ପ୍ରସାର କରିବାରେ ନିୟୋଜିତ ହୁଅନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଚକିତ କରିଦେବା ଭଳି ଏହି ତଥ୍ୟ ସାମ୍ନାକୁ ଆସିଛି । ସର୍ବେକ୍ଷଣ ମୁତାବକ ଦୁନିଆର ପ୍ରାୟ ସମସ୍ତ ସରକାର ମିଛ ଖବର ପ୍ରଚାର କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରନ୍ତି । ସେଥିପାଇଁ ପ୍ରତ୍ୟେକ ସରକାର ଏକ ଅଭିଜ୍ଞ ସାଇବର ଦଳକୁ ନିୟୋଜିତ କରିିଥାନ୍ତି ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି ।

ଫେସବୁକ, ଟ୍ୱିଟର ଏବଂ ଅନ୍ୟ ସୋସିଆଲ ମିଡିଆକୁ ମିଥ୍ୟା ତଥ୍ୟ ପ୍ରଚାର ଏବଂ ଜନମତ ସୃଷ୍ଟି ପାଇଁ ବ୍ୟବହାର କରାଯାଏ । ବିଭିନ୍ନ ଦେଶର ସରକାର ରାଜନୀତିକୁ ପ୍ରଭାବିତ କରିବାକୁ ଅନଲାଇନ୍ ମାଧ୍ୟମକୁ ବ୍ୟବହାର କରନ୍ତି ଏବଂ ଏଥିପାଇଁ ଦେୟ ମଧ୍ୟ ସ୍ଥିର ହୋଇଥାଏ । ବିଶ୍ୱର ୨୯ ଦେଶ ବିଭିନ୍ନ ଭାବରେ ଘରୋଇ ଏବଂ ବିଦେଶୀ ନାଗରିକଙ୍କୁ ପ୍ରଭାବିତ କରିବାକୁ ସୋସିଆଲ ମିଡିଆର ବ୍ୟବହାର କରନ୍ତି । ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ର ସହ ରାଜତନ୍ତ୍ର ଶାସନ ଥିବା ଦେଶରେ ମଧ୍ୟ ଏଭଳି ପ୍ରକ୍ରିୟା ବ୍ୟବହାର କରାଯାଏ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳର କମ୍ପ୍ୟୁଟେସନାଲ ପ୍ରପାଗେଣ୍ଡା ରିସର୍ଚ୍ଚ ପ୍ରୋଜେକ୍ଟ ମୁଖ୍ୟ ଆଥର ଏବଂ ଗବେଷକ ସାମନ୍ଥା ବ୍ରାଡଶଙ୍କ କହିବା ଅନୁସାରେ ସୋସିଆଲ ମିଡିଆର ଏଭଳି ବ୍ୟବହାର ପରେ ସମ୍ପୃକ୍ତ ଦେଶର ସରକାରଙ୍କ ଅଭିଯାନ ଅଧିକ ଦୃଢ ହୋଇଥାଏ । ସରକାରଙ୍କୁ ସମର୍ଥନ କରୁଥିବା ସୋସିଆଲ ମିଡିଆ ଗ୍ରୁପ୍ ଗୁଡିକ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏପରିକି ସରକାର ପ୍ରକୃତ ତଥ୍ୟ କେଉଁଠାରୁ ଆସୁଛି ତାକୁ ଲୁଚାଇବାକୁ ମିଛ ଆକାଉଣ୍ଟର ବ୍ୟବହାର କରନ୍ତି । ତେବେ ଭାରତରେ ମଧ୍ୟ ସରକାର ତଥା ବିଭିନ୍ନ ରାଜନୈତିକ ଦଳ ସୋସିଆଲ ମିଡିଆକୁ ବ୍ୟବହାର କରି ଲୋକଙ୍କୁ ପ୍ରଭାବିତ କରୁଥିବା ନେଇ ଏହି ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି ।

                                       ସୌଜନ୍ୟ-ଆଜତକ.କମ୍