ସୋସିଆଲ୍ ମିଡିଆ ଉପରେ କଟକଣା ! ଭଦ୍ରକ ଓ ଆଖପାଖ ଅଂଚଳରେ କାମ କରିବନି ଫେସବୁକ୍, ଟ୍ୱିଟର ଓ ହ୍ୱାଟସଆପ୍

23

କନକ ବ୍ୟୁରୋ : ସୋସିଆଲ ମିଡିଆ ଉପରେ କଟକଣା ଲଗାଇଲା ଭଦ୍ରକ ଜିଲ୍ଲା ପ୍ରଶାସନ । ଫେସବୁକ, ଟ୍ୱିଟର ଓ ହ୍ୱାଟ୍ସଆପ ପରି ସୋସିଆଲ ମିଡିଆ ଉପରେ ଅଂକୁଶ ଲଗାଯାଇଛି । ବିଶେଷ କରି ଭଦ୍ରକ ଓ ଏହା ଆଖପାଖ ଅଂଚଳରେ ଏହି ଅଙ୍କୁଶ ଲଗାଯାଇଛି । ଭଦ୍ରକରେ ଅଶାନ୍ତିର ନିଆଁ ଜଳିବା ପଛରେ ମୁଖ୍ୟତଃ ସୋସିଆଲ ମିଡିଆର ପ୍ରମୁଖ ଭୂମିକା ରହିଥିଲା ।

ପ୍ରଥମେ ସୋସିଆଲ ମିଡିଆରେ ଅଶ୍ଳୀଳ ପୋଷ୍ଟ ପରେ ଭଦ୍ରକ ଅଂଚଳରେ ଦଙ୍ଗା ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ମୁଖ୍ୟ ଖଳନାୟକକୁ ଗିରଫ କରିସାରିଛି ପୋଲିସ । ଏଥିସହ ସୋସିଆଲ ମିଡିଆରେ କୌଣସି ଆପତିଜନକ ମେସେଜ ପୋଷ୍ଟ ନକରିବାକୁ ଅପିଲ କରିଥିଲେ କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବି.କେ. ଶର୍ମା । ଗତକାଲିଠାରୁ ଭଦ୍ରକରେ ଆଉ ସାନି ହିଂସାକାଣ୍ଡ ଘଟିନାହିଁ ।

ତେଣୁ ପରିସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ପ୍ରଶାସନ ଆଉଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରିଛି । ଏହି କ୍ରମରେ ଆସନ୍ତା ୪୮ ଘଂଟା ପର୍ଯ୍ୟନ୍ତ ଭଦ୍ରକ ଓ ଏହାର ଆଖପାଖ ଅଂଚଳରେ ସୋସିଆଲ ମିଡିଆକୁ ବ୍ୟାନ କରାଯାଇଛି । ଏଥିସହ କ୍ରାଇମବ୍ରାଂଚର ସାଇବର ସେଲ ମଧ୍ୟ କୌଣସି ଆପତିଜନକ ପୋଷ୍ଟ ଉପରେ ସତର୍କ ନଜର ରଖିଛି ।