ସୋସିଆଲ ମିଡ଼ିଆ ଓ ବନ୍ଧୁତା ଦିବସ : ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାରେ ଚାଲିଛି ଭାବ ଦିଆନିଆ

198

ଆଜି ବନ୍ଧୁତା ଦିବସ । ବନ୍ଧୁ ଏପରି ଜଣେ ମଣିଷ ଯାହାକୁ ଆମେ କିଛି ନଭାବି ସବୁକିଛି କହିପାରୁ । ବନ୍ଧୁ ହିଁ ଏପରି ଜଣେ ମଣିଷ ଯିଏ ମନର କଥାକୁ ବୁଝିପାରେ । କିଏ ସୋସିଆଲ ମିଡ଼ିଆରେ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫୋନ କରି ଶୁଭେଚ୍ଛା ଜଣାଉଛି । ଅତି ସହଜରେ ପରକୁ ଆପଣାର କରିପାରୁଥିବା ଅଦୃଶ୍ୟ ଉପାଦାନଟି ହେଉଛି ବନ୍ଧୁତା । ସୁଖରେ ହେଉ କି ଦୁଃଖରେ । ଅଝଟ ବେଳେ ହେଉ ଅବା ବିପଦରେ । ସବୁଠି ନିର୍ଦ୍ୱନ୍ଦ୍ୱରେ ଯଦି କାହାକୁ ପ୍ରଥମେ ଲୋଡ଼ିହୁଏ, ସେ ହେଉଛି ବନ୍ଧୁ । ସେ କାଳେ ଚେହେରା ପଢ଼ି ଦେଇପାରେ । ବିପଦ ଆସିଲେ ଲୁହ ପୋଛିବାକୁ ହାତଟିଏ ଓ ମୁଣ୍ଡ ରଖିବାକୁ କାନ୍ଧ ବଢ଼େଇଦିଏ ।

ଦୂରରେ ରହୁଥିବା ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମାଧ୍ୟମ ପାଲଟିଛି ସୋସିଆଲ୍‌ ମିଡିଆ । ଛୁଟିଛି ‘ହାପି ଫ୍ରେଣ୍ଡସିପ୍‌ ଡେ’ର ଶୁଭେଚ୍ଛା । ବନ୍ଧୁତ୍ୱ ଦିବସର କିଛି ଦିନ ଆଗରୁ ସୋସିଆଲ ମିଡିିଆରେ ବହୁଛି ଶୁଭେଚ୍ଛାର ସୁଅ । ଫେସ୍‌ବୁକ୍‌, ହ୍ୱାଟସଆପ୍, ଇନ୍‌ଷ୍ଟାଗ୍ରାମ ଖୋଲିଲା ମାତ୍ରେ ବନ୍ଧୁତ୍ୱ ଦିବସର ବାର୍ତ୍ତା ସ୍କ୍ରିନ୍‌ ଉପରକୁ ଚାଲିଆସୁଛି । ଆଧୁନିକ ଯୁଗରେ ନୂତନ ଜ୍ଞାନକୌଶଳ ମାଧ୍ୟମରେ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ପାଇଁ ଏହାଠାରୁ ଭଲ ଉପାୟ କିଛି ନାହିଁ ବୋଲି ଯୁବପିଢ଼ି ଧରି ନେଇଛନ୍ତି । ବେଶ୍‌ ସହଜ ଓ ସୁବିଧାରେ ଦୂରରେ ଥିବା ବନ୍ଧୁ ପାଖକୁ ପ୍ରଥମେ ବାର୍ତ୍ତା ପଠାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ସୁନ୍ଦର କୋଟେସନ୍‌ ଥିବା ବାର୍ତ୍ତା ପଠାଇ ଶୁଭେଚ୍ଛା ସହ ଗପରେ ମାତୁଛନ୍ତି ।

ଆଜି ସ୍କୁଲ୍, କଲେଜ ଛୁଟି । ଆଉ ଛୁଟିର ସୁଯୋଗ ଉଠାଉଛନ୍ତି ସମେସ୍ତ । ସେଥି ପାଇଁ ରାଜଧାନୀର ବିଭିନ୍ନ କ୍ୟାମ୍ପସରେ ଆଜି ଏହି ଦିବସଟି ପାଳନ କରାଯାଉଥିବାର ଦେଖିବାକୁ ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ପରସ୍ପରକୁ ଫ୍ରେଣ୍ଡସିପ୍‌ ବ୍ୟାଣ୍ଡ୍ ପିନ୍ଧାଇ  ଏହି ଦିବସ ପାଳନ କରୁଛନ୍ତି । ଆଉ କିଛି  ପରସ୍ପରକୁ ଉପହାର ଦେଇ । ପୁଣି କିଛି କ୍ୟାମ୍ପସରେ ଛାତ୍ରଛାତ୍ରୀ ନାଚ, ଗୀତ କରି ଖାଇପିଇ ଦିନଟିକୁ ମନାଇଛନ୍ତି ।