ଅସ୍ତରଙ୍ଗରୁ ଆସିଲା ସାମାଜିକ ଦୂରତାର ଚିତ୍ର: କରୋନାକୁ ନେଇ ଲୋକେ ହେଲେଣି ସଚେତନ; ଗୋଲେଇରେ ଠିଆ ହୋଇ ଲୋକ ନେଉଛନ୍ତି ପିଡିଏସ ସାମଗ୍ରୀ

ସେପଟେ ନବରଙ୍ଗପୁରରେ ସାମାଜିକ ଦୂରତା ପାଇଁ ସହରର ରାସ୍ତା କଡକୁ ଉଠିଆସିଲା ହାଟ

555

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ଖାଦ୍ୟସୁରକ୍ଷା ଆଇନରେ ସାମିଲ ଥିବା ହିତାଧିକାରୀଙ୍କୁ ୩ ମାସ ପାଇଁ ରାଜ୍ୟ ସରକାର ଚାଉଳ ଓ ଗହମ ଦେବାକୁ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତି ପଂଚାୟତରେ ଆରମ୍ଭ ହୋଇଛି ବଂଟନ ।  କାକଟପୁର ବ୍ଲକରେ ପିଡିଏସ ଚାଉଳ ବଂଟନ ବେଳେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି । ରାସନକାର୍ଡ ଧାରୀ ବିଭିନ୍ନ ପଂଚାୟତରୁ ୩ ମାସର ଚାଉଳ ନେଇଛନ୍ତି । ଆଉ ଏହି ସମୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । କାର୍ଡଧାରୀମାନେ ପ୍ରଥମେ ହାତଧୋଇ ଗୋଲେଇ ଭିତରେ ଠିଆହେବା ସହ ନିଜ ଭିତରେ ଦେଢମିଟର ଦୂରତା ରଖି ଚାଉଳ ନେଉଛନ୍ତି ।

ସେପଟେ କରୋନା ମୁକାବିଲା ପାଇଁ ସଜାଗ ହୋଇଉଠିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ଉମରକୋଟ ଓ ନବରଙ୍ଗପୁର ସହରର ବିଭିନ୍ନ ବଜାରକୁ ସ୍ଥାନାନ୍ତରିତ କରାଯାଇଛି । ଏହି ବଜାରରେ ଦୋକାନଗୁଡିକ ସକାଳ ୬ଟାରୁ ସକାଳ ୧୦ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲିବାକୁ ପ୍ରଶାସନ ନିଷ୍ପତି ନେଇଛି ।