ସୋଆକୁ କିଭଳି ଆସିଥିଲା ଜାଲ୍ କଂପାନୀ ! ଠକ ଖୋଲିଲା ଠକାମୀର ଗୁମର

61

କନକ ବ୍ୟୁରୋ : ସୋଆ ଫେକ୍ ପ୍ଲେସମେଂଟ୍ ଘଟଣାରେ ପୁଲିସ୍ ଆଗରେ ଗୁମର ଖୋଲୁଛି ଗିରଫ ହୋଇଥିବା ଠକ ମାନସ ରଞ୍ଜନ ନାୟକ । ସୋଆକୁ କିଭଳି ଆସିଥିଲା ଜାଲ୍ କଂପାନୀ, ଗିରଫ ଠକ ଖୋଲିଛି ଠକାମୀର ଗୁମର । କହିଛି, ୬ ମାସ ତଳେ ପ୍ଲେସମେଂଟ ଡିନଙ୍କ ସହ ତାର ପରିଚୟ ହୋଇଥିଲା । ତଦନ୍ତ ବେଳେ, ୱେବସାଇଟରେ ଥିବା ଠକ କମ୍ପାନୀ ଓ କିଛି ଠକ ସାଙ୍ଗକ ସଂପର୍କରେ ସୁରାକ ବି ଦେଇଛି । ଏହି ଠକ ସର୍ଦ୍ଦାର ତଥ୍ୟ ଆଧାରରେ ଦିଲ୍ଲୀ ଯିବାକୁ ଏକ ଟିମ୍ ବି ଗଠନ କରିଛି ବୋଲି ପୁଲିସ୍ ସୂଚନା ଦେଇଛି ।

ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସୋଆ କ୍ୟାମ୍ପସକୁ ଆସିଥିବା ୯ଟି ଫେକ୍ କମ୍ପାନୀ ଭିତରୁ ଇଂଟେଲ ନାଁରେ ଫେକ୍ କମ୍ପାନୀ ଆଣିଥିଲା ମାନସ । ବାକି ୮ଟି କମ୍ପାନୀ ଆଣିଥିଲା ରେହାନ୍ । ଯେଉଁ ରେହାନର ସନ୍ଧାନ ପୁଲିସ ପାଇ ସାରିଛି । ରେହାନରର ଗିରଫଦାରୀ ପରେ ହିଁ ବିଶ୍ୱବିଦ୍ୟାଳୟ ଓ ଫେକ୍ କମ୍ପାନୀ ପଛର ଷଡଯନ୍ତ୍ର ପଦାକୁ ଆସିବ ବୋଲି ଜଣା ପଡିଛି ।

ମାନସ ନାଁରେ ପୁର୍ବରୁ ବାରିପଦା ଟାଉନ ଥାନା ଏବଂ ବାଲେଶ୍ୱରର ସହଦେବଖୁଂଟା ଥାନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇର ଅଭିଯୋଗ ରହିଛି । ତେବେ ଗୋଟେ ଠକ ସହ ସୋଆ ବିଶ୍ୱବିଦ୍ୟାଳୟର ସଂପର୍କ ହେଲା କେମିତି ? ୪୨୦ ଠକ ସହ ସୋଆର ଗଟବନ୍ଧନ ପଛର ଉଦ୍ଦେଶ୍ୟ କଣ ଥାଇପାରେ ? ଫେକ୍ ପ୍ଲେସମେଂଟ ଜରିଆରେ ସୋଆ ଲାଭବାନ ହୋଇଛି କି ? ଏସବୁ ପ୍ରଶ୍ନର ଉତର ଖୋଜୁଛି ପୁଲିସ ।