ଫେକ୍ ପ୍ଲେସମେଂଟ୍ ପଛରେ ରହିଥାଇପାରେ ସୋଆ କର୍ତୃପକ୍ଷଙ୍କ ଭୂମିକା ! ଜାଲ୍ କନସଲଟାନ୍ସିରେ ସଂପୃକ୍ତ ୨୫ ଜଣଙ୍କୁ ଚିହ୍ନଟ କଲା ପୋଲିସ

28

କନକ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ଜାଲ୍ ନିଯୁକ୍ତି କାରବାର ଘଟଣା ଏବେ ନୂଆ ମୋଡ ନେଇଛି । କମିଶନରେଟ୍ ପୋଲିସ ଜାଲ୍ କନସଲଟାନ୍ସି ଏଜେନ୍ସିର ୨୫ ଜଣଙ୍କୁ ଚିହ୍ନଟ କରିଛି । ଏସବୁ ଭିତରେ ୪୧୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରକୃତରେ କିଏ ଠକିଛି ସେନେଇ ରହସ୍ୟ ଘନେଇବାରେ ଲାଗିଛି ।

ସୂଚନା ମୁତାବକ, ଏହି ଘଟଣା ପଛରେ ଏକ ବିରାଟ ରାକେଟ ରହିଛି । ପ୍ଲେସମେଂଟ୍ ପଛରେ କନସାଲଟାନ୍ସି ଏଜେନ୍ସି ସହ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କଣ ସଂପୃକ୍ତି ରହିଛି ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି । ଏସବୁ ଭିତରେ ଜାଲ କନସଲଟାନ୍ସି ଏଜେନ୍ସି ଜରିଆରେ ଠକିଥିବା ରାଜ୍ୟ ବାହାରର ୨୫ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିଛି ପୋଲିସ ।

ଅନ୍ୟପଟେ, ଫେକ୍ ପ୍ଲେସମେଂଟ୍ ପାଇଁ ଏକ ବଡଧରଣର ଟଙ୍କା କାରବାର ହୋଇଥିବା ସନ୍ଦେହ କରାଯାଉଛି । ସୋଆର ପ୍ଲେସମେଂଟ୍ ଡିନ୍ ରାଜକୁମାର ହୋତାଙ୍କୁ ରିମାଣ୍ଡରେ ନେଇ ପୋଲିସ ଅନେକ ତଥ୍ୟ ହାସଲ କରିଛି । ତେବେ ପ୍ରଶ୍ନ ଉଠୁଛି..
୧- ସୋଆର ଇଜଲାସରେ କନସଲଟାନ୍ସି ଏଜେନ୍ସି ଏହି ଠକେଇ କରିଛି କି?
୨- ଶତ ପ୍ରତିଶତ ପ୍ଲେସମେଂଟ୍ ଦେଖାଇବା ପାଇଁ ହୋଇଛି କି ଠକେଇ?
୩- ପୁରା ଘଟଣାରେ ଏକ ବଡଧରଣର ଟଙ୍କା କାରବାର ହୋଇଛି କି?
୪- ପ୍ଲେସମେଂଟ୍ ଠକେଇ ପଛର ମୁଖ୍ୟ ଖଳନାୟକ କିଏ?

ଖାଲି ସେତିକି ନୁହେଁ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କୁ ପ୍ଲେସମେଂଟ୍ ଆଳରେ ଠକେଇର ପ୍ରତିବାଦ କଟକ ଯାଏଁ ଲମ୍ବିଛି । କାରଣ, ଦିନକୁ ଦିନ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟ ବିରୋଧରେ ତୀବ୍ର ହେଉଛି ପ୍ରତିବାଦର ସ୍ୱର । ଏଥିସହ ସୋଆ ମୁଖ୍ୟଙ୍କ ଗିରଫ ଦାବି ମଧ୍ୟ ଜୋର ଧରିଛି । କଟକରେ ଓଡ଼ିଶା ‘ଷ୍ଟୁଡ଼େଂଟ ଲିଡ଼ର ଫୋରମ’ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସବୁଠାରୁ ବଡ ପ୍ରଶ୍ନ ହେଉଛି ଜାଣି ଶୁଣି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ନିଜର ଶହେ ପ୍ରତିଶତ ପ୍ଲେସମେଂଟ୍ ଦେଖାଇବାକୁ ଯାଇ ନକଲି ଏଜେନ୍ସି ଜରିଆରେ ଏହି କାରବାର କରିଥିଲା କି ? ତେବେ ଏହି ବଡ ପ୍ରଶ୍ନର ଉତ୍ତର ଖୋଜି ବାହାର କରିପାରେ କମିଶନରେଟ୍ ପୋଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –