ସହର ଭିତରେ ହାତୀ ଆତଙ୍କ: କଟକ ସିଡିଏ ଉପକଣ୍ଠରେ ଗଜରାଜଙ୍କ ଉତ୍ପାତ, ବାଣ ଓ ନିଆଁ ଜଳାଇ ଘଉଡାଇବାକୁ ଉଦ୍ୟମ

ଧବଳେଶ୍ୱର ବସ୍ତି ଅଂଚଳରେ ପହଂଚିଲେ ପ୍ରାୟ ୮ଟି ହାତୀ

90

କନକ ବ୍ୟୁରୋ : କଟକରେ ହାତୀପଲ । ଖୁଂଟୁଣୀ ଅଂଚଳରେ ବୁଲୁଥିବା ହାତୀପଲ ମଙ୍ଗଳବାର ରାତିରେ ମହାନଦୀରେ ପହଁରି ପହଁରି ମର୍କତନଗର ଫେଜ୍ ୨ ଥାନା ଅନ୍ତର୍ଗତ ଧବଳେଶ୍ୱର ବସ୍ତି ନିକଟରେ ପହଂଚିଛନ୍ତି । ବଳମ୍ବିତ ରାତି ସୁଦ୍ଧା ହାତୀପଲ ବସ୍ତି ନିକଟ ଜଙ୍ଗଲରେ ରହିଥିଲେ । ଏହାକୁ ନେଇ ସମଗ୍ର ମର୍କତନଗର ଓ ବିଡାନାସୀ ଅଂଚଳରେ ଆତଙ୍କ ଦେଖାଦେଇଛି ।

ମହାନଦୀର ମଧୁସୂଦନ ସେତୁ ନିକଟରେ ପହଁରି ପହଁରି ଧବଳେଶ୍ୱର ବସ୍ତି ନିକଟରେ ପହଂଚିଥିଲେ । ଏହି ପଲରେ ୨ଟି ଦନ୍ତା ସମେତ ପ୍ରାୟ ୮ଟି ହାତୀ ଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ଖବର ପାଇ ଜଙ୍ଗଲ ବିଭାଗ ଓ ପୁଲିସ ଟିମ୍ ସ୍ଥାନୀୟ ଅଂଚଳରେ ପହଂଚି ବାଣ ଫୁଟାଇବା ସହ ନିଆଁହୁଳା ଦେଖାଇ ହାତୀପଲକୁ ଘୋଉଡାଇବାକୁ ଉଦ୍ୟମ କରିଥିଲେ । ତେଣୁ ହାତୀମାନେ ସହର ଭିତରକୁ ପଶି ପାରିନଥିଲେ ।

ଉଲ୍ଲେଖ ଥାଉ କି, ଆଠଗଠ ଖୁଂଟୁଣୀ ବନାଂଚଳରେ ହାତୀପଲ ଗତକାଲି ଉତ୍ପାତ ମଚାଇଥିଲେ । ଆଖପାଖ ଗାଁ ନିକଟରେ ଘର ପାଚୋରୀ ଭାଙ୍ଗିବା ସହ ଫସଲ ଖାଇ ଯାଇଥିଲେ ହାତୀ ପଲ । ଗାଁ ଭିତରକୁ ପଶି ଆସିବା ସହ ଅନେକ ସମୟରେ ଗାଁ ଆଖ ପାଖରେ ବୁଲିବାକୁ ଦେଖିବାକୁ ମିଳିଥିଲା ପାଖାପାଖି ୨୦ରୁ ୨୫ଟି  ହାତୀ । ଏପରିକି ବିଭିନ୍ନ ସମୟରେ ଘଂଟା ଘଂଟା ଧରି ରାସ୍ତା ଉପରକୁ ଚାଲି ଆସୁଥିବାରୁ ଦୀର୍ଘ ସମୟ ଧରି ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇରହିଥିଲା । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକେ ଆତଙ୍କିତ ହୋଇପଡିଥିଲେ ।