ଉତ୍ତର ଭାରତରେ ବରଫପାତ, ଲୋକ ହନ୍ତସନ୍ତ । ସେପଟେ, ମାଇନସ ୧୮ଡିଗ୍ରୀ ତଳେ କାରଗିଲର ତାପମାତ୍ରା

ଜାଡରେ ଥରୁଛି ଉତର ଭାରତ

108

କନକ ବ୍ୟୁରୋ : ଜାଡରେ ଥରୁଛି ଉତର ଭାରତ । ଜାମ୍ମୁକାଶ୍ମୀର, ଉତରାଖଣ୍ଡ ଓ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବରଫପାତ ଜାରି ରହିଛି । କାରଗିଲ ସେକ୍ଟରରେ ତାପମାତ୍ରା ମାଇନସ ୧୮ଡିଗ୍ରୀ ପର୍ଯ୍ୟନ୍ତ ପହଂଚିଛି । ପ୍ରବଳ ବରଫପାତ ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ବେଳେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ସେପଟେ ଆଉ ଦୁଇ ଦିନ ଏଭଳି ବରଫପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

ତେବେ ପ୍ରବଳ ଥଣ୍ଡାରେ ଲୋକ ହେଉଛନ୍ତି ହନ୍ତସନ୍ତ । ପାହାଡ ଉପରେ ମଧ୍ୟ ଆରମ୍ଭ ହୋଇଛି ପ୍ରବଳ ତୁଷାର ପାତ । ପରିସ୍ଥିତି ଏପରି ହୋଇଛି ଯେ, କେବଳ ପାହାଡ ଉପରେ ନୁହେଁ ବରଂ ରାସ୍ତା, ଘର ଓ ଗାଡି ଉପରେ ବରଫର ଆସ୍ତରଣ ଦେଖିବାକୁ ମିଳିଛି । ଲୋକମାନେ ଘରୁ ବାହାରକୁ ବାହରି ପାରୁନଥିବା ମଧ୍ୟ ସୂଚନା ମିଳିଛି । ପ୍ରବଳ ବରଫପାତ ପାଇଁ ପିଲାମାନେ ମଧ୍ୟ ସ୍କୁଲ ଓ କଲେଜ ଯାଇପାରୁନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ପ୍ରବଳ ଶୀତ ଅନୁଭୂତ ହୋଇଛି ।

 

ନନ୍ଦାଦେବୀ ଏବଂ ଭ୍ୟାଲି ଅଫ ଫ୍ଲାବର୍ସ ନ୍ୟାସନାଲ ପାର୍କ, କେଦାରନାଥ କସ୍ତୁରୀ ମୃଗ ଅଭୟାରଣ୍ୟରେ ମଧ୍ୟ ବରଫ ବର୍ଷା ହୋଇଛି । ଉତ୍ତରକାଶୀ, ଚମୋଲି, ରୁଦ୍ରପ୍ରୟାଗ, ବାଗେଶ୍ୱର ଓ ପିଥୋରାଗଡ଼ ଜିଲ୍ଲାରେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।