ହିମାଚଳ ପ୍ରଦେଶରେ ଜାରି ରହିଛି ବରଫ ପାତ : ୭ରେ ପହଁଚିଲା ମୃତ୍ୟୁ ସଂଖ୍ୟା

36

କନକ ବ୍ୟୁରୋ : ହିମାଚଳ ପ୍ରଦେଶର ସିମଲାରେ ଶ୍ୱାସରୁଦ୍ଧ ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅତ୍ୟଧିକ ଶୀତ ଯୋଗୁଁ ଅନ୍ୟ ୨ଜଣଙ୍କ ମୃତ୍ୟୁ ହୋଇଛି । ବିହାର ଓ ପଶ୍ଚିମବଙ୍ଗର ୫ଜଣ ଶ୍ରମିକଙ୍କ ସିମଲାରେ ମୃତ୍ୟୁ ହୋଇଛି । ସିମଲାର ଚୈଲି ଅଂଚଳରେ ଏହି ୫ଜଣ ଶ୍ରମିକ ଏକ କୋଠରିରେ ଶୋଇଥିବାବେଳେ ଶ୍ୱାସରୁଦ୍ଧ ହୋଇ ମୁତ୍ୟୁ ମୁଖରେ ପଡିଛନ୍ତି ।

ଶୀତ ଦାଉରୁ ରକ୍ଷା ପାଇବା ପାଇଁ କୋଠରିରେ ଅଙ୍ଗାର ରଖିଥିବାବେଳେ ଏଥିପାଇଁ ଶ୍ୱାସରୁଦ୍ଧ ହୋଇ ଶ୍ରମିକମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ସିମଲା ବସଷ୍ଟାଣ୍ଡରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ପଶୁ ସମ୍ପଦ ବିଭାଗର ଜଣେ କର୍ମଚାରଙ୍କ ମଧ୍ୟ ଅତ୍ୟଧିକ ଶୀତ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତ କିଛି ଦିନ ହେଲା ହିମାଚଳ ପ୍ରଦେଶ, ଉତରାଖଣ୍ଡ ଓ ଜମ୍ମୁ କଶ୍ମୀରରେ ବରଫାପାତ ଜାରି ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ହିମାଚଳପ୍ରଦେଶ ଚମ୍ବା ଜିଲ୍ଲାର ଭରମୋରରେ ୧୦ସେଂଟିମିଟର ସ୍ନୋ ଫଲ ରେକର୍ଡ କରାଯାଇଛି । ଲାହୌଲ ଓ ସ୍ପିତି ଜିଲ୍ଲାର କୈଲଙ୍ଗରେ ତାପମାତ୍ରା ମାଇନସ୍ ୧୧.୪ଡିଗ୍ରୀ, କିନ୍ନୋର ଜିଲ୍ଲାର କଲ୍ପାରେ ତାପାମତ୍ରା ମାଇନସ୍ ୮.୬, ମନାଲିରେ ମାଇନସ ୬.୬ ଓ ଧର୍ମଶାଳାରେ ମାଇନସ ୭.୨ ତାପମାତ୍ରା ରେକର୍ଡ କରାଯାଇଛି ।