ସୁନ୍ଦରଗଡରେ ମନରେଗା ଯୋଜନାରେ ଅନିୟମିତତା : କାମ କରିନଥିବା ଜବକାର୍ଡଧାରୀଙ୍କ ନାଁରେ ଉଠିଛି ଟଙ୍କା

44

କନକ ବ୍ୟୁରୋ : ମନରେଗା ଯୋଜନାରେ ଅର୍ଥ ହରିଲୁଟ୍ । କାମ କରିନଥିବା ହିତାଧିକାରୀଙ୍କ ଆକାଉଂଟରେ ଜମା ହୋଇଛି ଟଙ୍କା । ଜବକାର୍ଡଧାରୀଙ୍କ ନାଁ ମାଷ୍ଟର ରୋଲରେ ଏଂଟ୍ରି କରି ପାରିଶ୍ରମିକ ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ହୋଇଛି । ପ୍ରାୟ ୬ଟି ମାଟି ରାସ୍ତାକାମ ବାବଦକୁ ୧୨୭ ଜଣ ଜବକାର୍ଡଧାରୀଙ୍କ ନାଁରେ ମିଛ ଏଂଟ୍ରି କରାଯାଇ ପ୍ରାୟ ୬ ଲକ୍ଷ ୪୪ ହଜାର ଟଙ୍କା ହଡପ କରାଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ପଡିଥିବା ବୃଦ୍ଧା, ବାହାର ରାଜ୍ୟରେ ଦାଦନ ଖଟୁଥିବା ଜବକାର୍ଡଧାରୀ ଯୁବକଙ୍କ ବ୍ୟାକ ପାସବୁକରେ ଟଙ୍କା ଜମା କରାଯାଇଛି । ଗୋଟିଏ ରାସ୍ତା ପାଇଁ ପ୍ରାୟ ୨୦ ଜଣଙ୍କ ନାଁରେ ମିଛ ଫର୍ଜି ଏଂଟ୍ରି କରି ଲକ୍ଷେ କୋଡିଏ ହଜାର ଚଳୁ କରାଯାଇଛି । ଗାଁ ସାଥୀ, ଜବକାର୍ଡଧାରୀଙ୍କ ଜବକାର୍ଡ ଓ ପାସବୁକ ନିଜ ପାଖରେ ରଖି ଏଭଳି କରୁଥିବା ଅଭିଯୋଗ ହୋଇଛି । ଏଭଳି ଅନିୟମିତତା ୨୦୧୨-୧୩ରୁ ଆଜି ଯାଏଁ ଚାଲିଛି ।

ମନରେଗାରେ କାମ କରିନଥିବା ଜବକାର୍ଡଧାରୀଙ୍କ ଆକାଉଁଟରେ ଟଙ୍କା ଜମା କରାଯାଉଛି ହେଲେ କାମ କରିଥିବା ହିତାଧିକାରୀ ପାଉଣା ପାଇଁ ଅପେକ୍ଷା କରିଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଶହେରୁ ଅଧିକ ଜବକାର୍ଡଧାରୀ ପାରିଶ୍ରମିକ ପାଇନଥିବା ବେଳେ ଟଙ୍କା ମାଗିଲେ ଗାଁ ସାଥୀ କାମ ଦେଉନଥିବା ଅଭିଯୋଗ ହୋଇଛି । ସେପଟେ ଏ ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଥିବା କହିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ।

ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ କାମ କରି ହିତାଧୀକାରୀ ପାରିଶ୍ରମିକ ନପାଇ ଭୋକରେ ଥିବା ବେଳେ କାମ କରିନଥିବା ଜବକାର୍ଡଧାରୀଙ୍କ ଆକାଉଁଟରେ ଟଙ୍କା ଜମା କରି ମାଲାମାଲ ହେଉଛନ୍ତି କାମ ଯୋଗାଉଥିବା ଗାଁ ସାଥୀ ।