୪୦ ହଜାର ଟଙ୍କାରେ ବିକ୍ରିହେଲେ ସୁନ୍ଦରଗଡର ଆଦିବାସୀ ଯୁବତୀ ! ଦିଲ୍ଲୀରୁ ଆସିଲା ମୁକୁଳାଇବାକୁ ଆକୂଳ ନିବେଦନର ଏକ୍ସକ୍ଲୁସିଭ ଭିଡିଓ

33

କନକ ବ୍ୟୁରୋ : ୪୦ ହଜାର ଟଙ୍କାରେ ବିକ୍ରି ହେଲେ ଆଦିବାସୀ ଯୁବତୀ । ଆଉ ଦିଲ୍ଲୀରୁ ଆସିଲା ମୁକୁଳାଇବାକୁ ଅପିଲର ଏକ୍ସକ୍ଲୁସିଭ ଭିଡିଓ । ଦିଲ୍ଲୀ ସଙ୍ଗମ ବିହାରରେ ନିର୍ଯାତିତ ହେଉଥିବା ଯୁବତୀ କରିଛନ୍ତି ଆକୂଳ ନିବେଦନ । ୪ବର୍ଷ ହେଲା କାମ କରିବାକୁ ଯାଇ ଘରକୁ ଫେରି ପାରିନାହାନ୍ତି ସୁନ୍ଦରଗଡର ଜଣେ ଯୁବତୀ । ବିଳାସପୁରରେ କାମ କରାଇଦେବାକୁ କହି ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଅଂଚଳର ଜଣେ ଯୁବତୀଙ୍କୁ ନେଇଯାଇଥିଲା ଜଣେ ଦଲାଲ । ହେଲେ ବିଳାସପୁର ନେବା ପରିବର୍ତ୍ତେ ଦିଲ୍ଲୀରେ ଏକ ଠିକା ସଂସ୍ଥାକୁ ୪୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲା ।

ହୋଇଥିବା ଅଭିଯୋଗ ଅନୁସାରେ ସଂପୃକ୍ତ ଠିକାସଂସ୍ଥା ପୁଣି ବାସମତୀଙ୍କୁ ଆଉ ଜଣଙ୍କ ଘରେ କାମ କରିବାକୁ ବିକ୍ରି କରିଦେଇଥିଲା । ଯେଉଁଠି ଏବେ ଅକଥନୀୟ ନିର୍ଯାତନାର ଶିକାର ହେଉଛନ୍ତି ଯୁବତୀ ଜଣକ । ଗତ ୪ବର୍ଷ ହେଲା ନୂଆଦିଲ୍ଲୀର ସଙ୍ଗମ ବିହାରରେ ଜଣଙ୍କ ଘରେ କାମ କରୁଛନ୍ତି ସୁନ୍ଦରଗଡର ଆଦିବାସୀ ଝିଅ । ଯୁବତୀଙ୍କୁ ନିଜ ଘର ସହ କୌଣସି ଯୋଗାଯୋଗ କରିବାକୁ ଦିଆଯାଉନଥିବା ସହ ସେଠାରେ ତାଙ୍କୁ ବିଭିନ୍ନ ନିର୍ଯାତନା ଦିଆଯୋଉଥିବା ନେଇ ସେ କୌଣସିମତେ ଏକ ଭିଡିଓ ପଠାଇଛନ୍ତି ।

କୌଣସି ପାରିଶ୍ରମିକ ଦିଆଯାଉନଥିବାବେଳେ ତାଙ୍କ ମୋବାଇଲକୁ ମଧ୍ୟ ଛଡାଇ ନେଇଛନ୍ତି ମାଲିକ । ଏବେ ଘରକୁ ଫେରିଆସିବା ପାଇଁ ଭିଡିଓ କଲିଂରେ ନିବେଦନ କରିଛନ୍ତି । ଏପଟେ ୪ବର୍ଷ ହେଲା ଝିଅ ଅପେକ୍ଷାରେ ରହିଛନ୍ତି ବାପା, ମାଆ । କେବଳ ଏହି ଗୋଟିଏ ଘଟଣା ନୁହେଁ ସୁନ୍ଦରଗଡ ବିରବିରା ଅଂଚଳର ଦୁଇଟି ଝିଅ ମଧ୍ୟ ଦିଲ୍ଲୀ ସଙ୍ଗମ ବିହାରରେ ଫଶିରହିଥିବା ଜଣାପଡିଛି । ସେହିପରି ଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂସ୍ଥା ‘ନାଓ’ ଏବଂ ସୁନ୍ଦରଗଡରେ କାମ କରୁଥିବା ଏନଜିଓ ‘ପ୍ରଗତୀ’ର ସୂଚନା ଅନୁସାରେ ସୁନ୍ଦରଗଡରୁ ପ୍ରାୟ ୪୩ ହଜାର ଯୁବତୀ ଏଭଳି ବିଭିନ୍ନ ରାଜ୍ୟକୁ ଚାଲାଣ ହୋଇଛନ୍ତି ।