ସ୍ନାନ ବେଦୀରେ ଜଗନ୍ନାଥ । ୧୦୮ ଜଳରେ କରିବେ ମହାସ୍ନାନ,ଜାଣନ୍ତୁ କେଉଁ ମୂର୍ତୀ କେତେ ଗରା ଜଳରେ କରନ୍ତି ସ୍ନାନ

ଆଜି ମହାସ୍ନାନ କରିବେ ମହାବାହୁ

382

କନକ ବ୍ୟୁରୋ : ଆଜି ମହାସ୍ନାନ କରିବେ ମହାବାହୁ । ରତ୍ନବେଦୀରୁ ଦଇତାପତିଙ୍କ ଗହଣରେ ଧାଡି ପହଣ୍ଡିରେ ଏଥିପାଇଁ ବିଜେ କଲେଣି ମହାପ୍ରଭୁ । ସୁନା କୂଅରୁ ସୁବାସିତ ଜଳରେ ଶ୍ରୀଅଙ୍ଗକୁ ମହାସ୍ନାନ କରାଯିବ । ତେବେ ଏଥି ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ।

ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିବେ । ସବୁଦିନ ଗର୍ଭଗୃହରେ ସ୍ନାନ କରନ୍ତି ମହାବାହୁ । ହେଲେ ଆଜି ତାହା ହେବ ନାହିଁ । ସମସ୍ତଙ୍କ ସମ୍ମୁଖରେ ଆଜି ଗାଧୋଇବେ ଠାକୁର । ଆଜି କିଛି ଲୁଚାଛଫା ନାହିଁ । ସର୍ବସମ୍ମୁଖରେ ଚାଲିବ ସବୁ ନୀତିକାନ୍ତି ।

ସ୍ନାନ ପରେ ଭକ୍ତଙ୍କୁ ହାତୀ ବେଶ ତଥା ଗଜାନନ ବେଶରେ ଦର୍ଶନ ଦେବେ ଜଗନ୍ନାଥ ଓ ବଳଭଦ୍ର ମହାପ୍ରଭୁ । କେବଳ ଏତିକି ନୁହେଁ ଆଜି ମଧ୍ୟ ସ୍ନାନ ମଣ୍ଡପରେ ହେବ ସାହାଣମେଳା । ମନ୍ଦିରର ଗର୍ଭଗୃହରେ ଯେପରି ପ୍ରତିଦିନ ନୀତିକାନ୍ତି ହୋଇଥାଏ । ଆଜି ମଧ୍ୟ ଠିକ ସେହିପରି ଭାବରେ ନୀତିକାନ୍ତି ହେବ । ତେବେ ଅତ୍ୟଧିକ ସ୍ନାନ କରିବାପରେ ଜରରେ ପଡିବେ ଠାକୁର । ଆଉ ମିଳିବ ନାହିଁ ଅବଢା କି ମିଳିବ ନାହିଁ ଦର୍ଶନ । ଏହି ସମୟରେ ପଟି ଦିଅଁକୁ ହିଁ ଭକ୍ତ ଦର୍ଶନ କରିବାର ପରମ୍ପରା ରହିଛି । ଅଣସର ପିଣ୍ଡିକୁ ବିଜେ ହେବାପରେ ଦଇତାପତି ସେବକମାନେ ଶ୍ରୀଜିଉଙ୍କ ଗୁପ୍ତନୀତି କରନ୍ତି । ଦଇତାଙ୍କ ସେବାପରେ ଧିରେ ଧିରେ ସୁସ୍ଥ ଅନୁଭବ କରନ୍ତି ଠାକୁର । ଆଉ ନେତ୍ର ଉତ୍ସବ ବା ନବଯୌବନ ବେଶରେ ପୁଣି ଥରେ ଭକ୍ତଙ୍କୁ ଦିଅନ୍ତି ଦର୍ଶନ ।