ଦିନକ ପରେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା

43

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମାକୁ ଆଉ ମାତ୍ର ଦିନଟିଏ ବାକି । ସ୍ନାନ ପୂର୍ଣ୍ଣିମାରେ ବଡଠାକୁରଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଆଜି ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା । ଏଥିରେ ବହୁ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ଗଜାନନ ବା ହାତୀ ବେଶ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ପୁରୀର ପ୍ରସିଦ୍ଧ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଏହି ବେଶ ଯୋଗାଇ ଦିଆଯାଏ ।

ଏବେ ମଠ ପରିସରରେ ବେଶ ପ୍ରସ୍ତୁତିରେ ଲାଗିଛନ୍ତି କାରିଗରମାନେ । ଅକ୍ଷୟ ତୃତୀୟାରୁ ଠାରୁ ଏହି ବେଶ କାମ ଆରମ୍ଭ ହୋଇଛି । ପଟ୍ଟ, କନା, ଜରି, ଜମ୍ବୁରା, ସୋଲୋ ଓ କଇଥ ଅଠାରେ ଶ୍ରୀମୁଖ, ଅଧର, ଗଜକୁମ୍ଭ, ଦାନ୍ତ ଆଦି ବିଭିନ୍ନ ଅଙ୍ଗ ତିଆରି କରିଛନ୍ତି କାରିଗର । ଜଗନ୍ନାଥ ଓ ବଳଭଦ୍ରଙ୍କ ପାଇଁ ହାତୀ ବେଶ ତିଆରି କରାଯାଉଥିବା ବେଳେ ସୁଭଦ୍ରାଙ୍କ ପାଇଁ ତଡଗି ଓ ସୁଦର୍ଶନଙ୍କ ପାଇଁ ସ୍ୱତନ୍ତ୍ର ବେଶ କରାଯାଉଛି । ମହାପ୍ରଭୁଙ୍କ ବେଶ ତିଆରି କରୁଥିବା ବେଳେ ନିଜକୁ ଧନ୍ୟ ମନେ କରୁଛନ୍ତି କାରିଗର ।