ନାଗ ସାପ ସହ ୧୨ ବର୍ଷ ! ଉପକୂଳ ଅଞ୍ଚଳରୁ ସାମନାକୁ ଆସୁଛି ଅବିଶ୍ୱସନୀୟ ସତ, ଜାଣନ୍ତୁ କଣ ପାଇଁ ଘରେ ରହୁଛନ୍ତି ନାଗ ସାପ

39

କନକ ବ୍ୟୁରୋ : ସାପଙ୍କ ସହ ମଣିଷ । ୧୨ ବର୍ଷ ଧରି ବିଷଧର ନାଗ ସାପଙ୍କ ଗହଣରେ ରହୁଥିଲେ ପରିବାର । ଦିନ-ରାତି, ୨୪ ଘଂଟା ଗୋଟିଏ ଘରେ ଶହ ଶହ ସାପ ଆଉ ମଣିଷ । ଜାଣିଶୁଣି ସାପଙ୍କୁ କ୍ଷୀର, ଫୁଲ, ଧୂପ ଦେଇ ପୂଜା କରୁଥିଲେ । ଭଦ୍ରକ ଧାମନଗରର ନାଗବଂଶ ରହସ୍ୟ ଉପରୁ ଧିରେ ଧିରେ ପରଦା ହଟୁଥିବା ବେଳେ ଆଜି କେନ୍ଦ୍ରାପଡା ଓ ଜଗତସିଂହପୁରରୁ ୫୦ରୁ ଅଧିକ ନାଗ ସାପ ଉଦ୍ଧାର ହୋଇଛି ।

ପାତ୍ରରେ ସାଲୁବାଲୁ ହେଉଥିବା ବିଷଧର ସାପଙ୍କ ଗହଣରେ ମଣିଷ ବି ରୁହନ୍ତି କହିଲେ ହୁଏତ ଆପଣ ଚକିତ ହୋଇଯିବେ । ହେଲେ କଥାଟି ଏକଦମ୍ ସତ । ସାପ ଓ ମଣିଷର ବାସ ସ୍ଥାନ ଗୋଟିଏ ଜାଗା କହିଲେ ବି ଭୁଲ ହେବ ନାହିଁ କାରଣ, ଯେଉଁ ମାଟି ଘରୁ ଏହି ସାପ ସବୁ ଉଦ୍ଧାର ହୋଇଛନ୍ତି ସେହି ଘରେ ବର୍ଷ ବର୍ଷ ହେଲା ରହି ଆସୁଛନ୍ତି ମଣିଷ । ଯେଉଁ ଘଟଣା ଭଦ୍ରକ ଧାମନଗରରେ ଦେଖିବାକୁ ମିିଳିଥିଲା ସେହି ସମାନ ଚିତ୍ର ଆଜି ୩ଟି ସ୍ଥାନରେ ଦେଖିବାକୁ ମିଳିଛି । କେନ୍ଦ୍ରପଡ଼ା ଜିଲ୍ଲା କଂଟାବଣିଆ, ଜଗତସିଂହପୁର ଜିଲ୍ଲା ବେଗୁନିଆ ଏବଂ ଭଦ୍ରକ ଜିଲ୍ଲା ନଳଙ୍ଗରୁ ଉଦ୍ଧାର ହୋଇଛନ୍ତି ବିଷଧର ନାଗ ସାପ । ସାପ ଏହି ମାଟି ଘରେ ବସା ବାନ୍ଧି ରହିବା ସହ ଅଣ୍ଡା ବି ଦେଇଛନ୍ତି । କଂଟାବଣିଆରୁ ୨୨ଟି, ନଳଙ୍ଗରୁ ୧୯ଟି ଏବଂ ବେଗୁନିଆରୁ ୧୦ଟି ନାଗ ସାପ ଓ ଛୁଆ ଉଦ୍ଧାର ହୋଇଛନ୍ତି ।

କେଉଁଠୁ ଆଉ କେମିତି ଏହି ନାଗ ସାପ ଆସୁଛନ୍ତି ତାକୁ ନେଇ ଯେଉଁ ରହସ୍ୟ ଲାଗି ରହିଥିଲା, ତା ଉପରୁ ଧିରେ ଧିରେ ରହସ୍ୟ ହଟିବାରେ ଲାଗିଛି । ପ୍ରକୃତରେ ନାଗକୁ ପାଳିବାର ପ୍ରାୟସ ହେଉଛି । ଫୁଲ, ଧୁପ ଏବଂ କ୍ଷୀର ଦେଇ ନାଗକୁ ପୂଜା କରୁଛନ୍ତି ଲୋକେ । ଯେଉଁଥି ପାଇଁ ନାଗବଂଶ ଅନାୟାସରେ ଘରେ ଭିତରେ ବଢ଼ିବାରେ ଲାଗିଛି । ଏମିତି କି ମାଟି ଘରେ ଥିବା ହୁଙ୍କାକୁ ବି ଭାଙ୍ଗିବାକୁ ମଙ୍ଗୁ ନାହାଁନ୍ତି ଏମାନେ ।ବିଶ୍ୱାସ ଆଗରେ ଅନ୍ଧବିଶ୍ୱାସ ଯେମିତି ଲୋକଙ୍କ ଉପରେ ଭାରି ପଡୁଛି ଏବଂ ବିନା ବାଧାରେ ଘର ଭିତରେ ବଢ଼ିବାରେ ଲାଗିଛି ନାଗବଂଶ ।