ଅଭ୍ୟାସ ଶିବିରରେ ଖେଳାଳୀଙ୍କୁ ସ୍ୱାଗତ କଲା ଅହିରାଜ ! ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳିଗଲା ଆତଙ୍କ, ଅଳ୍ପକେ ବର୍ତ୍ତିଲେ ଇଂଲଣ୍ଡ କ୍ରିକେଟ୍ ଟିମର ସଦସ୍ୟ ।

56

ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ୍ ଦଳ ସୋମବାର ଏକ ଅପ୍ରତ୍ୟାଶିତ ଆଗନ୍ତୁକକୁ ଦେଖି ଛାନିଆ ହୋଇ ଯାଇଥିଲା । ଦଳର ସବୁ ସଦସ୍ୟ ଭୟରେ ଥରି ଉଠିଥିଲେ। କେନ୍ଦ୍ରୀୟ ଶ୍ରୀଲଙ୍କାର କାଣ୍ଡି ସହରରେ ଥିବା ପାଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ ପାଇଁ ଯାଇଥିବା ବେଳେ ଇଂଲଣ୍ଡ ଖେଳାଳିଙ୍କୁ ଏକ ଚାରି ଫୁଟିଆ ଅହିରାଜ ସ୍ବାଗତ କରିଥିଲା । ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବାର କିଛି କ୍ଷଣ ପରେ ପଡ଼ିଆରେ ଏହି ଅହିରାଜ ଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ଅହିରାଜଟିକୁ ବହୁକଷ୍ଟରେ ଧରି ବାହାରକୁ ନେଇ ଯାଇଥିଲେ ।

ତେବେ ଇଂଲଣ୍ଡ ଖେଳାଳିମାନେ ନିଜ ଦଳର ଟ୍ବିଟର ପୃଷ୍ଠାରେ ଏହାର ଏକ ଭିଡିଓ ପ୍ରକାଶ କରିଥିଲେ । ଯାହାର ଶିରୋନାମା ସେମାନେ ‘ଅଭ୍ୟାସ ବେଳେ ଅଲୋଡ଼ା ଆଗନ୍ତୁକ’ ବୋଲି ଲେଖିଥିଲେ । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀଲଙ୍କା-ଇଂଲଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦିନିକିଆ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା । ଦ୍ବିତୀୟକୁ ଇଂଲଣ୍ଡ ଡି/ଏଲରେ ଜିତି ନେଇଥିଲା । ତୃତୀୟ ଦିନିକିଆ ବୁଧବାର ଖେଳାଯିବାର ଅଛି ।