କନକ ବ୍ୟୁରୋ : ଓଡିଶାରେ ୧୨୦ରୁ ଅଧିକ ଆସନ ଜିତିବା ନେଇ ଦମ୍ଭ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଇ ଆଜି ବିଜେଡି ଉପରେ ବର୍ଷିଛନ୍ତି ସ୍ମୃତି ଇରାନୀ । ସେ କହିଛନ୍ତି, ୨୦୧୯ରେ ତାଙ୍କ ଦଳ ଓଡିଶାରେ ଅଭୁତପୂର୍ବ ସଫଳତା ପାଇବ ।

ଆକ୍ରମଣାତ୍ମକ ମୁଡରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି । ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ୨୦୧୯ରେ ତାଙ୍କ ଦଳ ଓଡିଶାରେ ଅଦ୍ଭୁତପୂର୍ବ ସଫଳତା ପାଇବ ବୋଲି ଦାବି କରି ବିଜେପି ୧୨୦ରୁ ଅଧିକ ଆସନ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେପିର ରାଜ୍ୟ କାର୍ଯ୍ୟକାରିଣୀକୁ ଉଦଘାଟନ କରିବା ଅବସରରେ ରାଜ୍ୟ ସରକାର ମହିଳା, ଶିଶୁ ଓ କୃଷକ ବିରୋଧୀ ସରକାର ଭାବେ ଅଭିହିତ କରିଛନ୍ତି । ଏହା ସହ ଆୟୁଷ୍ମାନ ଯୋଜନାରେ ରାଜ୍ୟ ସାମିଲ ନହେବା, ତୈଳ ଦର ଓ ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

smriti-iraniସ୍ମୃତିଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । କେନ୍ଦ୍ର ତୈଳ ଦର ହ୍ରାସ କରିବା ଏକ ନିର୍ବାଚନୀ ଚାଲ୍ ଓ ରାଜ୍ୟ ସରକାରଙ୍କ ଯୋଜନା କେନ୍ଦ୍ରଠାରୁ ବେଶ ଭଲ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା । ୨୦୧୯ରେ ବିଜେଡି ପୁଣି ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି କହିଛନ୍ତି । ଏପଟେ କଂଗ୍ରେସ ମଧ୍ୟ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସ୍ମୃତି ଇରାନୀ ପ୍ରଥମେ ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ସୁରକ୍ଷା କଥା ଚିନ୍ତା କରନ୍ତୁ । ତାପରେ ଓଡିଶା କଥା କହିବେ । ବିଜେପି ଶାସିତ ରାଜ୍ୟରେ ମହିଳା ଅସୁରକ୍ଷିତ, ନିର୍ଯାତିତ ଓ ଉପେକ୍ଷିତ । ସେଠି ସୁରକ୍ଷା ଦେଇପାରୁ ନାହାନ୍ତି ଓଡିଶାରେ କାହିଁକି ଆଶା ଦେଖାଉଛନ୍ତି ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡିଶା ଆସି ରାଜ୍ୟ ସରକାରଙ୍କୁ ଘେରିବା ପରେ ଏବେ ସ୍ମୃତି ଇରାନୀ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି, ଯାହା ବିଜେପି ରାଜ୍ୟ ନେତା ଓ କର୍ମୀଙ୍କ ମନୋବଳକୁ ବଢାଇ ଦେଇଛି ।