ସାବରିମାଳାରେ ମହିଳାଙ୍କ ପ୍ରବେଶ ନେଇ ସ୍ମୃତି ଇରାନୀ ବିବାଦୀୟ ମନ୍ତବ୍ୟ ! କହିଲେ, ଋତୁସ୍ରାବ ଯୋଗୁଁ ମହିଳା ମନ୍ଦିରକୁ ଯିବା ଅନୁଚିତ ।

42

କନକ ବ୍ୟୁରୋ : ସାବରିମାଳାରେ ମହିଳା ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗକୁ ନେଇ ସାରା ଦେଶରେ ବଡ ଧରଣର ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବୟାନ ଆଉ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ମାସିକ ଋତୁସ୍ରାବରେ କୌଣସି ମହିଳା ରକ୍ତରେ ଭିଜିଥିବା କନାକୁ ନେଇ ଯଦି ବନ୍ଧୁଙ୍କ ଘରକୁ ଯାଇପାରିବେ ନାହିଁ ତେବେ କେମିତି ମାସିକ ଋତୁସ୍ରାବରେ ରକ୍ତ ଲାଗିଥିବା ଲୁଗା ନେଇ ମନ୍ଦିରକୁ ପ୍ରବେଶ କରିପାରିବେ ।

ସ୍ମୃତି ଇରାନୀ କହିଛନ୍ତି ପୂଜା କରିବାର ଅଧିକାର ସମସ୍ତଙ୍କର ଅଛି କିନ୍ତୁ ଭଗବାନଙ୍କୁ ଅବମାନନା କରିବାର ଅଧିକାର କାହା ପାଖରେ ନାହିଁ । ସବୁଠାରୁ ବଡ କଥା ହେଉଛି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ଠିକ ସେହି ସମୟରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯେତେବେଳେ ଜଣେ ମହିଳା ଆନ୍ଦୋଳନକାରୀ ସାବରିମାଳା ମନ୍ଦିରକୁ ରକ୍ତରେ ଭିଜିଥିବା ନ୍ୟାପକିନ ନେଇ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ପଟେ ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ଗତ ୨୮ ତାରିଖରେ ସୁପ୍ରିମକୋର୍ଟ ଅନୁମତି ଦେଇଥିବା ବେଳେ ତାକୁ ନେଇ ବଡ ଧରଣର ବିବାଦ ବି ଲାଗି ରହିଛି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ସୁପ୍ରିମକୋର୍ଟଙ୍କ ମତ ବିରୋଧି ବୋଲି ଚର୍ଚ୍ଚା ହେଉଛି ।

ଜାତୀୟ ଗଣମାଧ୍ୟମରେ ସ୍ମୃତି ଇରାନିଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏକ ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁ ନାହାଁନ୍ତି । ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ କେରଳରେ ଏକ ବଡ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହୋଇଛି । ଏସବୁ ଭିତରେ କେରଳ ବିଜେପି ଦାବି କରିଛି ଏକ ଅଧ୍ୟାଦେଶ ମାଧ୍ୟମରେ ସରକାର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣାକୁ ବଜାୟ ରଖନ୍ତୁ । ଆଉ ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ପରୋକ୍ଷରେ ଇସାରା କରୁଛି ଋତୁସ୍ରାବ ଯୋଗୁଁ ମହିଳା ମନ୍ଦିରକୁ ଯିବା ଅନୁଚିତ । ଯାହାକୁ ନେଇ ନୂଆ ବିବାଦ ଦେଖା ଦେଇଛି ।