ପୁଣି ବଢ଼ିବ ଥଣ୍ଡା ! ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁହୁଡ଼ି ଆଶଙ୍କା

129

କନକ ବ୍ୟୁରୋ : ପୁଣି ବଢ଼ିବ ଥଣ୍ଡା । ୧୭ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ରାତିର ପାରଦ ପୁଣିଥରେ ୧୦ ଡିଗ୍ରି ତ‌ଳକୁ ଖସି ଆସିବ । ଏଥିସହ ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ କୁହୁଡ଼ି ହେବ । ଭୋର ସମୟରେ ବେଶି ଦୂର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେବ ନାହିଁ । ପାହାଡ଼ିଆ ଅଞ୍ଚଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସେପଟେ ଗତ ସପ୍ତାହକ ମଧ୍ୟରେ ସମସ୍ତ ସହରର ତାପମାତ୍ରା ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । କେବଳ ଫୁଲବାଣୀକୁ ଛାଡ଼ି ଦେଲେ ଆଜି ଅନ୍ୟ ସବୁଠି ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯାଇଛି । ମାଲକାନଗିରି, ଭୁବନେଶ୍ବର ସମେତ ତାଳଚେରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଛି । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୧ ଡିଗ୍ରି ରହିଥିଲା । ଏଥିସହ ଭୁବନେଶ୍ବରରେ ୩୦.୭ ଓ ତାଳଚେରରେ ୩୦.୫ ଡିଗ୍ରି ଥିଲା । ସବୁ ସହରରେ ଦିନର ତାପମାତ୍ରା ୨୫ ଡିଗ୍ରି ଉପରକୁ ଟପିଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଓଡ଼ିଶା ଉପରେ ଗୁରୁଚାପ ସୃଷ୍ଟି ହୋଇଥିଲା । ତେଣୁ ଉତ୍ତର ଭାରତ ପଟୁ ଓଡ଼ିଶା ଆଡ଼କୁ ଥଣ୍ଡା ପବନ ଆସି ପାରୁ ନଥିଲା । ତେଣୁ ରାତିର ତାପମାତ୍ରା ବଢ଼ୁଥିଲା । ଶୀତ ପ୍ରକୋପ କମିଥିଲା। ଏବେ ଉତ୍ତର ଭାରତ ପଟୁ ଓଡ଼ିଶାକୁ ପୁଣିଥରେ ପବନ ହେଉଛି । ‌ତେଣୁ ୧୮ ତାରିଖ ଯା‌ଏ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାରେ ପାରଦ ହ୍ରାସ ପାଇବ । ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିବ। ପରେ ସାମାନ୍ୟ ବୃଦ୍ଧି ପାଇବ ।