କାଲି କଳା ପଟି, ଆଜି କଳା ଗାମୁଛା । ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି , କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ ପରେ କକ୍ଷତ୍ୟାଗ କଲେ ବିଧାୟକ

237

କନକ ବ୍ୟୁରୋ : ଗୋଟିଏ ପଟେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଭୁଲ ତଥ୍ୟକୁ ନେଇ ବିଧାନସଭା ସରଗରମ ହେଉଥିବା ବେଳେ ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ବିଜେପି ବିଧାୟକଙ୍କ ପ୍ରତିବାଦ । ସ୍ମିତାରାଣୀ ପ୍ରସଙ୍ଗକୁ ହାଲୁକା କରିବା ପାଇଁ ବ୍ୟାକରଣଗତ ତ୍ରୁଟିକୁ ପ୍ରସଙ୍ଗ କରାଯାଇଛି ବୋଲି ଆକ୍ଷେପ କରିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।

ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ସ୍ମିତାରାଣୀ ମୃତ୍ୟୁ ମାମଲାରେ ପ୍ରତିବାଦ କରିଥିଲେ ବିଜେପି ବିଧାୟକ । କାଲି ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିଥିବା ବେଳେ ଆଜି କାନ୍ଧରେ କଳା ଗାମୁଛା ପକାଇ ପ୍ରତିବାଦ କରିଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି ଦୋହରାଇଛି ବିଜେପି । ବାଚସ୍ପତି ବାରମ୍ବାର ବିଜେପି ସଦସ୍ୟଙ୍କୁ ଗୃହରେ ବସିବା ପାଇଁ ଅନୁରୋଧ କରିଥିବା ବେଳେ କକ୍ଷ ତ୍ୟାଗ କରିବା ସହ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ ।

ଅଭିଯୁକ୍ତଙ୍କ ନାଁ ୩୦୬ ବଦଳରେ ୩୦୨ ଦଫାରେ ମାମଲା ରୁଜୁ, ଯାଜପୁର ଏସପି ଓ ମହିଳା କମିସନରଙ୍କ ବହିଷ୍କାର ଏବଂ ମାମଲାର ସିବିଆଇ ତଦନ୍ତ ଦାବିରେ ଅଡି ବସିଛି ବିଜେପି । ସଂଧ୍ୟା ପର୍ଯ୍ୟନ୍ତ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି ଦଳୀୟ ବିଧାୟକ ।