ବିଜେପି ନେତା ସୁରେନ୍ଦ୍ରଙ୍କ ଶବାଧାରରେ ସାମିଲ ହେଲେ ସ୍ମୃତି । ଆମେଠିରେ ଶୋକାକୁଳ ପରିବେଶ, ମରଶରୀରକୁ କାନ୍ଧ ଦେଲେ କେନ୍ଦ୍ରମନ୍ତ୍ରୀ ।

710

କନକ ବ୍ୟୁରୋ : ନିର୍ବାଚନ ଫଳ ବାହାରିବାର ମାତ୍ର ୨ ଦିନ ପରେ ଆମେଠିରେ ପଡ଼ିଚି ରକ୍ତର ଛିଟା । ଆମେଠିର ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ । ଗତକାଲି ବିଳମ୍ବିତ ରାତିରେ ଆମେଠିରେ ଘଟିଥିଲା ଏପରି ହିଂସାକାଣ୍ଡ । ମୃତକ ଜଣକ ହେଲେ ଜାମୋ ଥାନା ବରୌଲିଆ ଗାଁର ପୂର୍ବତନ ସରପଂଚ ସୁରେନ୍ଦ୍ର ସିଂହ । ତେବେ ଏହି ଘଟଣାର ସୂଚନା ମିଳିବା ପରେ ଦିଲ୍ଲୀରୁ ସିଧାସଳଖ ଆମେଠି ଅଭିମୁଖେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏପରିକି ସୁରେନ୍ଦ୍ରଙ୍କ ଶବଧାରରେ ମଧ୍ୟ ସେ ସାମିଲ ହେବା ସହ ତାଙ୍କ ମରଶରୀରକୁ କାନ୍ଧ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

କୁହାଯାଉଛି, ସ୍ମୃତି ଇରାନୀଙ୍କ ବିଜୟ ପଛରେ ସୁରେନ୍ଦ୍ରଙ୍କର ଅନେକ ଭୂମିକା ରହିଥିଲା । ଏପରିକି ନିର୍ବାଚନୀ ପ୍ରଚାର ସମୟରେ ସେ ସ୍ମୃତିଙ୍କ ସହ ନିଜ ଅଂଚଳରେ ବେଶ ବୁଲିଥିଲେ । ତେବେ ଏହି ଗୁଳିକାଣ୍ଡ ପରେ ଦୁବୃର୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ ସୁରେନ୍ଦ୍ର ଘର ବାହାରେ ଶୋଇଥିବା ବେଳେ କିଛି ଦୁବୃର୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ଲକ୍ଷେ୍ନø ଟ୍ରମା ସେଂଟରକୁ ନେବା ସମୟରେ ହିଁ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଛି । ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ଜାମୋ ଥାନା ବରୌଲିଆ ଗାଁରେ ପୋଲିସ ମୃତୟନ କରାଯାଇଛି ।