ସ୍ମାର୍ଟ ସିଟିରେ ସ୍ମାର୍ଟ ଫୁଡ୍ ! ରାଜଧାନୀରେ ବିକ୍ରି ହେଉଛି ମାଣ୍ଡିଆ ବରା ସାଙ୍ଗକୁ କାଙ୍ଗୁରେ ତିଆରି ଖୀରି ।

79

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ମିଳୁଛି ସ୍ମାର୍ଟ ଫୁଡ୍ । ସାଧାରଣ ଲୋକ ଏବେ ପାଉଛନ୍ତି ନେକ୍ସଟ ଜେନେରସନର ଖାଦ୍ୟ । ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ବେଳେ ମାର୍କେଟରେ ମିଳୁଥିବା ଫାଷ୍ଟଫୁଡର ଆସିଛି ବିକଳ୍ପ । ଆଦିବାସୀ ଅଂଚଳରେ ଚାଷ ହେଉଥିବା ମାଣ୍ଡିଆ, ବାଜରା, କାଙ୍ଗୁରେ ତିଆରି ଖାଦ୍ୟ ମିଳୁଥିବା ସ୍ମାର୍ଟ ଫୁଡ୍ ସେଣ୍ଟର ପାଲଟିଛି ରାଜଧାନୀବାସୀଙ୍କ ନୂଆ ଠିକଣା ।

ମାଣ୍ଡିଆ ଓ ବାଜରାରୁ ପ୍ରସ୍ତୁତ ହେଉଛି ପକୋଡ଼ା ଓ ବରା । କାଙ୍ଗୁ ଭଳି ଅନ୍ୟ କ୍ଷୁଦ୍ର ଶସ୍ୟ ବା ମିଲେଟରୁ ପ୍ରସ୍ତୁତ ହେଉଛି କ୍ଷୀରି ଓ ମିଠା । ଭୁବନେଶ୍ୱର ସହରର କେତେକ ଅସ୍ଥାୟୀ ଆଉଟଲେଟରେ ମିଳୁଛି ଏଭଳି ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ । ଆଜିକାଲି ଯୁବପୀଢିଙ୍କଠୁ ଆରମ୍ଭ କରି ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ପସନ୍ଦ ଫାଷ୍ଟଫୁଡ୍ । କିନ୍ତୁ ଅପରପଟେ ସମସ୍ତେ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଯତ୍ନବାନ ହେବାକୁ ଚେଷ୍ଟା କରୁଛନ୍ତି । ଆଉ ମାଣ୍ଡିଆ, ବାଜରାରୁ ପ୍ରସ୍ତୁତ ଏହି ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ହେଉଛି ତାର ବିକଳ୍ପ ।

କ୍ଷୁଦ୍ର ଶସ୍ୟ ବା ମିଲେଟ୍ ଚାଷର ଉତ୍ପାଦନ ବୃଦ୍ଧି ଏଥିରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ଓ ଲୋକଙ୍କ ଭିତରେ ସଚେତନତା ନେଇ ଓଡ଼ିଶା ମିଲେଟ୍ ମିଶନ୍, ନବକୃୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଓ ଏନଜିଓ “ୱାସନ୍’’ ମିଳିତ ଭାବେ କାମ କରୁଛନ୍ତି । କ୍ଷୁଦ୍ର ଶସ୍ୟରେ ତିଆରି ଖାଦ୍ୟକୁ ନୂଆ ଢ଼ଙ୍ଗରେ ପ୍ରସ୍ତୁତ କରି ଲୋକଙ୍କ ପାଖରେ ପହଁଚାଇବା ସେମାନଙ୍କ ଲକ୍ଷ୍ୟ । ମିଲେଟ୍ ମିଶନ୍ ଜରିଆରେ ରାଜ୍ୟ ସରକାର ୭ଟି ଜିଲ୍ଲାର ୩୦ ବ୍ଲକରେ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ଏବେ ସବୁ ଘରେ କ୍ଷୁଦ୍ର ଶସ୍ୟ ପହଂଚାଇବାକୁ ଯୋଜନା କରୁଛି ।