ଜୀବନ ବଡ, ଜରିମାନା ନୁହେଁ । ଟ୍ରାଫିକ ନିୟମର ଧଜିଆ ଉଡାଉଥିବା ବଡ ବଡିଆଙ୍କ ପାଇଁ ଉଦାହରଣ ସାଜିଲା କୁନି ଝିଅ ।

1,120

କନକ ବ୍ୟୁରୋ : ଟ୍ରାଫିକ ଧରପଗଡ଼ ନେଇ ଏବେ ସବୁଠି ଚର୍ଚ୍ଚା। କେଉଁଠି କିଏ ବିନା ହେଲମେଟରେ ଗାଡି ଚଳାଇ ହଜାରେ ଗଣିଲାଣି ତ ଆଉ କିଏ ନିୟମ ନମାନି ଜରିମାନା ଦେଲାଣି। ନୂଆ ନିୟମକୁ କିଛି ଲୋକ ସ୍ୱାଗତ କରୁଥିବା ବେଳେ କିଛି ଏହାକୁ ବିରୋଧ କରୁଛନ୍ତି। ଏପରିକି ଗତକାଲି ଏହି ଘଟଣାକୁ ନେଇ ରାଜଭବନ ଛକ ଋଣଭୂମି ପାଲଟିଥିଲା । କିନ୍ତୁ ଏସବୁ ଭିତରେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ହୁଏତ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ମୁହଁ ଲଜ୍ଜାରେ ତଳକୁ ନଇଁଯିବ । ଯେତେବେଳେ ବଡ ବଡିଆ ମାନେ ଟ୍ରାଫିକ ନିୟମର ଧଜିଆ ଉଡାଉଛନ୍ତି ସେତେବେଳେ ଏହି ସାତ ସାନ କୁନି ପିଲାଟି ଅନ୍ୟ ମାନଙ୍କ ପାଇଁ ବଡ ଉଦାହରଣ ସାଜିଛି । ଟ୍ରାଫିକ୍ ନିୟମକୁ ମାନିବା ବଦଳରେ ଏହାକୁ ବିରୋଧ କରୁଥିବା ଲୋକଙ୍କ ପାଇଁ ଏ ଦୃଶ୍ୟ ଅନେକ ବାର୍ତ୍ତା ରଖୁଛି ।

ଟ୍ରାଫିକ କାହାକୁ କୁହାଯାଏ ? ନିୟମ କଣ ? କିଏ ଏ ନିୟମ ଲାଗୁ କରିଛି ସେସବୁ କିଛି ବୁଝିନି କି ବୁଝିବାକୁ ବୟସ ହୋଇନି ତାର। ମାତ୍ର ସମସ୍ତଙ୍କୁ ଦେଖି, ଘର ଲୋକଙ୍କୁ ଦେଖି ସେ ନିଜେ ସଚେତନ ହୋଇଯାଇଛି ଆଉ ଡ୍ରାଇଭରର ପାଖ ସିଟରେ ବସି ସିଟ୍ ବେଲ୍ଟ ଲଗାଇଛି। ଏଭଳି ଦୃଶ୍ୟ ରାଜଧାନୀ ଉପକଣ୍ଠ ପିପିଲି ଟୋଲଗେଟ ନିକଟରେ ଗାଡି ଚେକିଂ ବେଳେ ଦେଖିବାକୁ ମିଳିଥିଲା । ଯେଉଁ ସମୟରେ ଅନେକ ବରିଷ୍ଠ ଓ ଜାଣିବା ଶୁଣିବା ଲୋକେ ଫ୍ରଣ୍ଟ ସିଟରେ ବସି ବି ସିଟ ବେଲ୍ଟ ବାନ୍ଧି ନଥିବା ଦେଖିବାକୁ ମିଳୁଥିଲା, ତାହାରି ଭିତରେ ଏ ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଖୁସି କରି ଦେଇଥିଲା । ଏପରିକି ସିଟ ବେଲ୍ଟ ବାନ୍ଧି ନଥିବା ବାବୁ, ବାବୁଆଣୀଙ୍କ ମୁଣ୍ଡ ବି ଲାଜରେ ନଇଁ ଯାଇଥିଲା ।

ଗତକାଲି ସଂଧ୍ୟାରେ ଟୋଲଗେଟ ନିକଟରେ ପିପିଲି ପୁଲିସ, ପୁରୀ ଆରଟିଓ ଓ ଟ୍ରାଫିକ୍ ତରଫରୁ ମିଳିତ ଯାଂଚ କରାଯାଇଥିଲା । ଚାରିଚକିଆ ଗାଡିର ଫ୍ରଣ୍ଟ ସିଟରେ ବସିଥିବା ବ୍ୟକ୍ତି ସିଟବେଲ୍ଟ ବାନ୍ଧିଛନ୍ତି କି ନାହିଁ ତାହାର ଯାଞ୍ଚ କରୁଥିଲେ ଅଧିକାରୀ । ଯେଉଁମାନେ ସିଟବେଲ୍ଟ ବାନ୍ଧିଥିଲେ ସେମାନଙ୍କୁ ଧନ୍ୟବାଦ ଦିଆଯାଉଥିବା ବେଳେ ଯେଉଁମାନେ ବେଲ୍ଟ ବାନ୍ଧି ନଥିଲେ ସେମାନଙ୍କୁ ସିଟବେଲ୍ଟ ବାନ୍ଧିବାକୁ ସଚେତନ କରୁଥିଲା ପୋଲିସ । ଆଉ ଏହି ସମୟରେ କୁନି ପିଲାଟି ଗାଡି ଆଗ ସିଟରେ ବସି ସିଟ୍ ବେଲ୍ଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ତେବେ ଟିକି ପିଲାର ଏ ସଚେତନତା ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ମୁହଁରେ ଶକ୍ତ ଜାବଡା ଦେବ ନିଶ୍ଚିତ।